ନୂଆଦିଲ୍ଲୀ ୩୦/୦୯: ହଲିଉଡ୍‌ରେ ହଇଚଇ କରୁଛି ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଅଭିନେତ୍ରୀ ଟିଲି ନର୍‌ଉଡ୍‌ । ହଲିଉଡ୍‌ର ପ୍ରଡକ୍ସନ୍‌ କମ୍ପାନି ଓ ଏଜେଣ୍ଟ୍‌ମାନେ ଟିଲିକୁ କାଷ୍ଟ୍‌ କରିବାକୁ ଆଗଭର ହେଉଛନ୍ତି । ଗତ ସପ୍ତାହାନ୍ତରେ ଆୟୋଜିତ ଜ୍ୟୁରିଚ୍‌ ଶିଖର ସମ୍ମିଳନୀରେ ଏଆଇ ଅଭିନେତ୍ରୀ ଟିଲି ଓ ଟେକ୍ନୋଲୋଜିଷ୍ଟ୍‌ ଇଲାଇନ୍‌ ଭାନ୍‌ ଡର୍‌ ଭେଲ୍‌ଦେ କହିଥିଲେ, ତାଙ୍କର ଏଆଇ ଟାଲେଣ୍ଟ୍‌ ଷ୍ଟୁଡିଓ ସିକୋଇଆ ଟିଲିର ପ୍ରତିନିଧିତ୍ୱ ପାଇଁ ଚୁକ୍ତି ଚୂଡ଼ାନ୍ତ କରିବାକୁ ଯାଉଥିଲା । କୌଣସି ଏଜେଣ୍ଟ୍‌ ଯଦି ତାକୁ ସଫଳତାପୂର୍ବକ ସାଇନ୍‌ କରନ୍ତି, ବୃତ୍ତିଗତ ପ୍ରତିନିଧିତ୍ୱ ହାସଲ କରିଥିବା ପ୍ରଥମ ଏଆଇ-ପରିଚାଳିତ କଳାକାର ହେବ ଟିଲି । ଏହି କ୍ଷେତ୍ର ପାରମ୍ପରିକ ରୂପେ ମାନବ କଳାକାରଙ୍କ ପାଇଁ ସଂରକ୍ଷିତ ରହିଆସିଥିଲା ।

ଭାନ୍‌ ଡର୍‌ ଭେଲ୍‌ଦେ କହିଛନ୍ତି, ଆମେ ଯେତେବେଳେ ପ୍ରଥମେ ଟିଲିକୁ ଲଞ୍ଚ୍‌ କଲୁ, ଲୋକେ କହିଲେ- ଏହା କ? ଏବେ ଆମେ ଏଜେନ୍ସିର ନାଁ ଘୋଷଣା କରିବାକୁ ଯାଉଛୁ, ଯାହା ଟିଲିକୁ ଆଗାମି କିଛି ମାସରେ ସାଇନ୍‌ କରିବ । ଏଆଇ କମିଶନର୍‌ଶୀର୍ଷକ ଏକ କମେଡି ସ୍କେଚ୍‌ରେ ନିଜର ପ୍ରଥମ ଭୂମିକାରେ ପରଦାକୁ ଆସିଥିଲା ଟିଲି । ସେ ନିଜ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ୍‌ କରିଥିଲା ବିଶ୍ୱାସ ହେଉନାହିଁ.. ମୋର ପ୍ରଥମ ଭୂମିକାର ସିଧାପ୍ରସାରଣ!

ଟିଲି ଏଜେନ୍ସିଙ୍କ ଧ୍ୟାନ ଆକର୍ଷଣ କରିଥିବାବେଳେ ହଲିଉଡ୍‌ ଷ୍ଟାର୍‌ମାନେ ଏହା ବିରୋଧରେ ପ୍ରତିବାଦ କରିଛନ୍ତି । ତମାମ ନକାରାତ୍ମକ ପ୍ରତିକ୍ରିୟା ମଧ୍ୟରେ ଭାନ୍‌ ଡର୍‌ ଭେଲ୍‌ଦେ ସ୍ପଷ୍ଟ କରିଛନ୍ତି, ମୋର ଏଆଇ ଚରିତ୍ର ଟିଲିର ସୃଷ୍ଟିକୁ ନେଇ ଯେଉଁମାନେ କ୍ରୋଧ ପ୍ରକାଶ କରିଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଟିଲି ମଣିଷର ସ୍ଥାନ ନେବ ନାହିଁ, ବରଂ ଏହା ଏକ କଳାତ୍ମକ କାର୍ଯ୍ୟ । ଏହା ପୂର୍ବରୁ ପ୍ରସ୍ତୁତ କଳାର ଅନେକ ରୂପ ଭଳି ଏହି ଏଆଇ ଚରିତ୍ର ବାର୍ତ୍ତାଳାପ କରିପାରେ । ନିଜ ସୃଜନଶୀଳତାର ଶକ୍ତିକୁ ଦର୍ଶାଇପାରେ ।ପୂର୍ବରୁ କଳାକାରଙ୍କ ବୟସକୁ କମାଇବା ପାଇଁ ଏଆଇକୁ ପ୍ରୟୋଗ କରାଯାଇଛି । ଏଆଇ ଦିବଂଗତ କଳାକାରଙ୍କ ସ୍ୱରକୁ ମଧ୍ୟ ପୁନର୍ଜୀବିତ କରିଛି ଏବଂ ସେମାନଙ୍କ ଜୀବନ୍ତ ଝଲକ୍‌ ଦେଖାଇଛି । କିନ୍ତୁ ପ୍ରଥମ ଥର ଜଣେ ଏଆଇ ଅଭିନେତ୍ରୀ ଆଗଧାଡ଼ିକୁ ଆସିଛି ।