​​​​​​ନୂଆଦିଲ୍ଲୀ ୩୦/୦୯:  ସୋମବାର ରିଲିଜ୍‌ ହୋଇଛି ହରର୍‌-କମେଡି ଫିଲ୍ମ ଥମ୍ମାର ପ୍ରଥମ ଗୀତ ତୁମ୍‌ ମେରେ ନା ହୁଏ। ଫିଲ୍ମରେ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନାଙ୍କୁ ପ୍ରଥମ ଥର ସିନେ ପରଦାରେ ଦେଖିବେ ଦର୍ଶକ । ଫିଲ୍ମରେ ଏହି ଗୀତ ଉଭୟଙ୍କ ପ୍ରେମ କାହାଣୀକୁ ଦର୍ଶାଇଛି । ଗୀତ କମ୍ପୋଜ୍‌ କରିଛନ୍ତି ସଚିନ-ଜିଗର, ଲିରିକ୍ସ ଦେଇଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ରଶ୍ମିକାଙ୍କ ଦମ୍‌ଦାର ନୃତ୍ୟ ଗୀତକୁ ହିଟ୍‌ କରିଛି ।

ନିର୍ମାତା ଫିଲ୍ମର ଗୀତକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି କିଛି ପ୍ରେମ କାହାଣୀ କଦାପି ମରେ ନାହିଁ... ଏହା ସର୍ବଦା ଜଳୁଥାଏ । ତୁମ୍‌ ମେରେ ନା ହୁଏସହିତ ସ୍ୱରକୁ ଅନୁଭବ କର, କଷ୍ଟକୁ ଅନୁଭବ କର ।ଗୀତ ଦେଖିବା ପରଠୁ ରଶ୍ମିକାଙ୍କ ନୃତ୍ୟକୁ ପ୍ରଶଂସାରେ ପୋତିଛନ୍ତି ପ୍ରଶଂସକ । କେବଳ ରଶ୍ମିକା ହିଁ ପ୍ରେମ ଓ ଯନ୍ତ୍ରଣାକୁ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରକାଶ କରିପାରନ୍ତି ବୋଲି ୟୁଜର୍‌ କହୁଛନ୍ତି । ଅନେକ ତାଙ୍କ ନୃତ୍ୟକୁ ମନ୍ତ୍ରମୁଗ୍ଧକର ବୋଲି କହିଛନ୍ତି । ତାଙ୍କର ପ୍ରତ୍ୟେକ ଷ୍ଟେପ୍‌ରେ ଭରପୂର ଏନର୍ଜି ଓ ଆକର୍ଷଣ ରହିଛି ।

ତେବେ ଗୀତକୁ ନେଇ ରଶ୍ମିକା ନିଜର ପ୍ରତିକ୍ରିୟା ଶେୟାର କରିଛନ୍ତି । ସେ କହିଛନ୍ତି, ଅଦ୍ୟାବଧି ସୁଟ୍‌ କରିଥିବା ସବୁଠୁ ମଜାଦାର ଗୀତ । କୋରିଓଗ୍ରାଫି, ମ୍ୟୁଜିକ୍‌, ବିଟ୍‌ ଓ ସେଟ୍‌ ସବୁକିଛି ହୃଦୟ ଛୁଇଁଲା ଭଳି । ଏହାର ସୁଟିଂରେ ମୁଁ ଯେତିକି ଆନନ୍ଦ ନେଇଛି, ଆଶା କରୁଛି ଆପଣ ମଧ୍ୟ ଗୀତକୁ ପସନ୍ଦ କରିବେ ଓ ଆନନ୍ଦ ନେବେ । କୋ-ଷ୍ଟାର୍‌ ଆୟୁଷ୍ମାନ ମଧ୍ୟ ଗୀତ ପାଇଁ ରଶ୍ମିକାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ସହ ଏହି ଗୀତରେ ନୃତ୍ୟ କରିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି କହିଛନ୍ତି । ସେ ରଶ୍ମିକାଙ୍କୁ ଜଣେ ଚମତ୍କାର ନୃତ୍ୟଶିଳ୍ପୀ କହିଛନ୍ତି । ଆଦିତ୍ୟ ସରପୋଟଦାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଶ୍ମିକା-ଆୟୁଷ୍ମାନଙ୍କ ସମେତ ପରେଶ ରାୱଲ, ନୱାଜୁଦ୍ଦିନ ସିଦ୍ଦିକି ଅଭିନୟ କରିଛନ୍ତି । ଆସନ୍ତା ୨୧ ତାରିଖ, ଦୀପାବଳି ଅବସରରେ ଫିଲ୍ମଟି ରିଲିଜ୍‌ ହେବ ।