କଟକ,୦୬/୧୧: ଚଳିତ ବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍ସି) ଖାଦ୍ୟ ସୁରକ୍ଷା ବିଭାଗ । ଏ ନେଇ ପଡ଼ିଆରେ ସବୁଦିନ ଖାଦ୍ୟ ଯାଞ୍ଚ୍ ପାଇଁ ୩ଟି ଟିମ୍ ପ୍ରସ୍ତୁତ ହୋଇଥିଲାବେଳେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍ ଟେଷ୍ଟିଂ ଗାଡି ଆସିଛି । ସବୁଠୁ ବଡ କଥା ହେଉଛି ଯେ, ବର୍ତ୍ତମାନ ସୁଦ୍ଧା ମାତ୍ର ୫୦ ଜଣ ଖାଦ୍ୟ ବ୍ୟବସାୟୀ ସିଏମ୍ସିରୁ ଲାଇସେନ୍ସ ନେଇଥିଲାବେଳେ ନଗର ସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦୁ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଟିମ୍ ପଡ଼ିଆ ବୁଲି ବ୍ୟବସାୟୀଙ୍କ ଖାଦ୍ୟ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଇଥିଲେ ।
ପ୍ରତିବର୍ଷ ଲକ୍ଷାଧିକ ଲୋକ ବାଲିଯାତ୍ରା ଆସିଥାନ୍ତି । ମେଳା ବୁଲା ସହିତ ବିଭିନ୍ନ ପ୍ରକାରର ଖାଦ୍ୟର ମଜା ନେଇଥାନ୍ତି । ଏଥିପାଇଁ ମେଳାରେ ଭଳିକି ଭଳି ଖାଦ୍ୟ ଷ୍ଟଲ୍ ଖୋଲିଥାଏ । ଆମିଷରୁ ନେଇ ନିରାମିଷ ସମେତ ବିଭିନ୍ନ ଫାଷ୍ଟ୍ଫୁଡ୍ ଦୋକାନ ଖୋଲିଥାଏ । କିନ୍ତୁ ଦୁଇ ପଇସା ଲାଭ କରିବାକୁ ଯାଇ ନିମ୍ନମାନର ଖାଦ୍ୟ ସାମଗ୍ରୀ ବ୍ୟବହାର ସହିତ ବାସି ଖାଦ୍ୟ ପ୍ରଦାନ କରିଥଆନ୍ତି । ଫଳରେ ମେଳା ବୁଲିବାକୁ ଆସୁଥିବା ଲୋକମାନେ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମେଳାରେ ଉଚ୍ଚମାନର ଖାଦ୍ୟ ପ୍ରଦାନ କରିବା ଦିଗରେ ଆଜି ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଛି । ବିଶେଷକରି ଖାଦ୍ୟର ନମୁନା ସଂଗ୍ରହ ସହିତ ଖୁବ୍ କମ୍ ସମୟ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ଏମ୍ଏଫ୍ଟିଏଲ୍ରେ ଗାଡି ଆସିଛି । ସେହିଭଳି ପ୍ରତିଦିନି ଖାଦ୍ୟ ଯାଞ୍ଚ୍ କରାଯିବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।