ନୂଆଦିଲ୍ଲୀ,୨୧/୦୯: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ଫାର୍ଷ୍ଟ ନୀତିକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ । କେତେବେଳେ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଅନୁମାନ ବାହାରେ । ଟାରିଫ୍‌ ପରେ ଏବେ ଭିସା ବୋମା ଫୁଟାଇଛନ୍ତି ଟ୍ରମ୍ପ, ଯେଉଁଥିରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଯାଉଛନ୍ତି ଭାରତୀୟ । ବର୍ତ୍ତମାନ ପ୍ରତି ଏଚ୍‌୧ବି ଭିସା ଆବେଦନ ବାବଦ ବାର୍ଷିକ ଲକ୍ଷେ ଡଲାର ପାଖାପାଖି ୮୮ ଲକ୍ଷ ଟଙ୍କା ଆଦାୟ କରିବ ଆମେରିକା । ଆଜିଠୁ ଏହି ନିୟମ ଲାଗୁ ହୋଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H1-B ଭିସାର ଶୁଳ୍କ ୬ ଲକ୍ଷରୁ ବଢାଇ ୮୮ ଲକ୍ଷକୁ ବୃଦ୍ଧି କରିଛନ୍ତି ।  ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ପରଠାରୁ, H1-B ଭିସାଧାରୀ ଏବଂ ଆବେଦନକାରୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଏହି ନୂଆ ମୂଲ୍ୟ ଦ୍ୱାରା କିଏ ପ୍ରଭାବିତ ହେବ ? କାହା ଉପରେ ଲାଗୁ ହେବ ଇତ୍ୟାଦିକୁ ନେଇ ପ୍ରଶ୍ନର ଉତ୍ତର ମିଳିଛି । ଏହା କେବଳ ନୂଆ ଏଚ୧-ବି ଭିସା ଆବେଦନକାରୀଙ୍କ ପାଇଁ ଲାଗୁ ହେବ । ଏଯାବତ୍‌ ଏଚ୍‌-୧ବି ଭିସା ଆବେଦନ ଫି’ ପାଇଁ ହାରାହାରି ୬ ଲକ୍ଷ ଟଙ୍କା ଲାଗୁଥିଲା । ଏହା ୩ ବର୍ଷ ପାଇଁ ବୈଧ ରହୁଥିଲା । ଏହାକୁ ୩ ବର୍ଷ ପାଇଁ ରିନ୍ୟୁ କରା ଯାଉଥିଲା । ଏବେ ଆମେରିକାରେ ଏଚ୍‌-୧ବି ଭିସା ପାଇଁ ୬ ବର୍ଷରେ ଲାଗିବ ୫.୨୮ କୋଟି ଟଙ୍କା । ଅର୍ଥାତ୍‌ ଖର୍ଚ୍ଚ ୫୦ ଗୁଣାରୁ ଅଧିକ ବଢ଼ିଯିବ । ଆମେରିକା ସରକାର ପ୍ରତିବର୍ଷ ଲଟେରି ଦ୍ୱାରା ୮୫,୦୦୦ ଏଚ୍‌୧ବି ଭିସା ଜାରି କରନ୍ତି, ଯାହାର ସର୍ବାଧିକ ବ୍ୟବହାର ଟେକ୍‌ ନିଯୁକ୍ତିରେ ହୋଇଥାଏ । ସବୁଠୁ ଅଧିକ ଭାରତୀୟ (୭୨%) ଏହାର ବ୍ୟବହାର କରନ୍ତି । ଏବେ ଭିସା ଫି’ବଢ଼ିବା ଦ୍ୱାରା ୩ ଲକ୍ଷରୁ ଅଧିକ ଭାରତୀୟଙ୍କ ଉପରେ ସିଧା ପ୍ରଭାବ ପଡ଼ିବ । ପ୍ରତିବର୍ଷ ଭିସା ପାଇଁ ଫି’ ଦେବାକୁ ପଡ଼ିବ ନାହିଁ । ବର୍ଷକୁ ଥରେ ମାତ୍ର ଏଚ୍‌-୧ବି ଭିସା ପାଇଁ ଫି ଦେବାକୁ ପଡ଼ିବ । କେବଳ ନୂଆ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ କରିଛି ଆମେରିକା ।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ୧ ଲକ୍ଷ ଡଲାର ଫି' କେବଳ ନୂଆ ଭିସା ଧାରକଙ୍କ ପାଇଁ ଲାଗୁ ହେବ । ପୂର୍ବରୁ ଥିବା ଭିସା ଧାରକମାନଙ୍କୁ ଏହି ଫି' ଦେବାକୁ ପଡ଼ିବ ନାହିଁ । ଯେଉଁମାନେ ଭାରତରୁ ଜରୁରୀକାଳୀନ ଭାବରେ ଆମେରିକା ଯାତ୍ରା କରୁଛନ୍ତି ସେମାନଙ୍କୁ ରବିବାର ପୂର୍ବରୁ ପହଞ୍ଚିବା କିମ୍ବା ୧ ଲକ୍ଷ ଡଲାର ଫି ଦେବାର ଆବଶ୍ୟକତା ନାହିଁ । ଏହା ବ୍ୟତୀତ, ଯଦି କୌଣସି କମ୍ପାନୀ କିମ୍ବା ଏହାର କର୍ମଚାରୀମାନେ ଆମେରିକାର ଜାତୀୟ ସୁରକ୍ଷା, ଆର୍ଥିକ ସ୍ୱାର୍ଥ କିମ୍ବା ଜନସାଧାରଣଙ୍କ ହିତ ସହିତ ଜଡିତ ତେବେ ଗୃହ ସୁରକ୍ଷା ସଚିବ ଏହି ଫି' ଛାଡ଼ କରିପାରନ୍ତି ।

ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ ? H-1B ଭିସାରେ ଆମେରିକା ଯାତ୍ରା କରୁଥିବା ପ୍ରାୟ ୭୦ ପ୍ରତିଶତ କର୍ମଚାରୀ ଭାରତୀୟ । ବିଦେଶରୁ ଶ୍ରମିକ ନିଯୁକ୍ତି ମୂଲ୍ୟ ବୃଦ୍ଧି ପାଇବା ସହିତ, କମ୍ପାନୀଗୁଡ଼ିକ ଭାରତ ଭଳି ଦେଶରୁ ନିଯୁକ୍ତି ହ୍ରାସ କରିବେ । ଆମେରିକୀୟ ଶ୍ରମିକମାନଙ୍କୁ ପ୍ରାଥମିକତା ଦେବେ । ଏହା ଭାରତରେ ବେକାରୀ ହାର ବୃଦ୍ଧି କରିପାରେ । ଗତବର୍ଷ ଏଚ୍‌-୧ବି ଭିସାର ସର୍ବବୃହତ୍‌ ହିତାଧିକାରୀ ଥିଲା ଭାରତ । ମଞ୍ଜୁରିପ୍ରାପ୍ତ ଭିସାରେ ୭୧% ଭାରତୀୟଙ୍କର ରହିଥିଲା ।