ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଜ୍ୟ (UK)ରେ ନିଜର ଦ୍ୱିତୀୟ ରାଜ୍ୟ ଗସ୍ତ ଶେଷ କରି ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିଛି।
ରାଷ୍ଟ୍ରପତି ଟ୍ରମ୍ପ୍ ଗୁରୁବାର ସନ୍ଧ୍ୟାରେ ଷ୍ଟାନଷ୍ଟେଡ୍ ଏୟାର୍ପୋର୍ଟ୍ (Stansted Airport)ରୁ ଆମେରିକା ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ଟ୍ରମ୍ପଙ୍କ ଏହି ଦୁଇ ଦିନିଆ ବିଦେଶ ଯାତ୍ରା ସମାପ୍ତ ହୋଇଛି। ଏହି ଦୁଇ ଦିନିଆ ଗସ୍ତରେ ରାଜା ଚାର୍ଲ୍ସ ତୃତୀୟଙ୍କ ଦ୍ୱାରା ଆନୁଷ୍ଠାନିକ ସ୍ୱାଗତ ଏବଂ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ସହ ବିଭିନ୍ନ ବିଷୟକୁ ନେଇ ଟ୍ରମ୍ପ ଆଲୋଚନା କରିଥିଲେ। ଯାହା ୟୁକେ ଏବଂ ଆମେରିକା ମଧ୍ୟରେ ବିକଶିତ ସମ୍ପର୍କକୁ ଗୁରୁତ୍ୱ ଦେଇଥିଲା।
ଟ୍ରମ୍ପ ଏୟାର୍ ଫୋର୍ସ୍ ଓ୍ୱାନ୍ (Air Force One) ବିମାନରେ ଉଡ଼ାଣ ଭରିଥିବା ବଳେ, ଗଣମାଧ୍ୟମକୁ କୌଣସି ବିଦାୟି ବିବୃତି ଦେଇନାହାନ୍ତି। ତେବେ ସେ ଉଡ଼ାଣ ଭରିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ଏହି ଯାତ୍ରା ରାଜକୀୟ ଆଡ଼ମ୍ବର ସହ ଉଚ୍ଚ-ସ୍ତରୀୟ କୁଟନୀତିକ ଆଲୋଚନାରେ ସମାପ୍ତ ହୋଇଛି। ଯାହା ଯୁକ୍ତରାଜ୍ୟ ଏବଂ ଆମେରିକା ମଧ୍ୟରେ ବିକଶିତ ସମ୍ପର୍କକୁ ଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।