ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର କୋକେରନାଗ ଜଙ୍ଗଲରେ ଗୁରୁବାର ନିଖୋଜ ଦୁଇ ପାରା କମାଣ୍ଡୋଙ୍କ ମଧ୍ୟରୁ ଜଣେ କମାଣ୍ଡୋଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ମୁତାବକ, ତିନିଦିନ ପୂର୍ବେ ଉକ୍ତ ଜଙ୍ଗଲରେ ସେନା ପକ୍ଷରୁ ଏକ ଆତଙ୍କବାଦୀ ନିରୋଧି ସର୍ଚ୍ଚ ଅପରେସନ ଜାରି ହୋଇଥିଲା। ତେବେ ହଠାତ୍ ହୋଇଥିବା ହିମସ୍ଖଳନ ଯୋଗୁଁ ଦୁଇ ସେନା କମାଣ୍ଡୋ ନିଖୋଜ ହୋଇଯାଇଥିଲେ ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।

ତେବେ ଉଭୟ ନିଖୋଜ କମାଣ୍ଡୋଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଦୁଇଦିନ ହେବ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ତେବେ ଗୁରୁବାର ଜଣେ ସେନା କମାଣ୍ଡୋଙ୍କ ମୃତଦେହ ବରଫ ତଳୁ ମିଳିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ସେନା କମାଣ୍ଡୋଙ୍କୁ ଖୋଜିବା ପାଇଁ ଯାଞ୍ଚ ଜାରି ରହିଛି।

ହିମସ୍ଖଳନ ଫଳରେ ଉକ୍ତ ଜବାନ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ମଧ୍ୟ ସ୍ଥାନିୟ ଅଞ୍ଚଳରେ ପାଗ ଖରାପ ରହିଥିବାରୁ ନିଖୋଜ ଥିବା ଜବାନଙ୍କ ପାଇଁ ଆବଶ୍ୟକିୟ ସହୟତା ପଠାଯାଇପାରୁନାହିଁ। ତଥାପି ମଧ୍ୟ ସେନା କୋକେରନାଗ ଅଞ୍ଚଳରେ ନିଜ ସର୍ଚ୍ଚ ଅପରେସନ ଜାରି ରଖିଛି। ତେବେ ପ୍ରବଳମାତ୍ରାରେ ହିମ ବୃଷ୍ଟି ହେଉଥିବାରୁ ଏହା ଉଦ୍ଧାରକାରୀ ଦଳ ଓ ନିଖାଜ ଜବାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଜଣେ ସେନା ଅଧିକରୀ ସୂଚନା ପ୍ରଦାନ କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ, ଦେଶର ଭିନ୍ନଭିନ୍ନ ପ୍ରାନ୍ତରରେ ଏହିଭଳି ସମାନ ଘଟଣା ଘଟିଚାଲିଛି। କିଛି ଦିନ ତଳେ ଲଦାଖରେ ଥିବା ସିଆଚିନ ବେସ କ୍ୟାମ୍ପ ନିକଟରେ ହିମସ୍ଖଳନ ଯୋଗୁଁ ଦୁଇ ଜଣ ଅଗ୍ନୀବିରଙ୍କ ସମେତ ତିନି ଜଣ ଜବାନଙ୍କ ମୃତ୍ୟୁ ହୋଇଥିଲା।