ମାଲକାନଗିରି /ମାଥିଲି, ୧୪।୧୦(ଆପ୍ର ): ମାଲକାନଗିରିର ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଢିଗୁଡ଼ା ବେଆଇନ ବାଲି ଘାଟରେ ଦୁଇଜଣ ସାମ୍ବାଦିକଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ସାମ୍ବାଦିକ ଶିବ ପ୍ରସାଦ ପରିଚ୍ଛା ଏବଂ ବିଷ୍ଣୁପ୍ରସାଦ ବାକାଙ୍କୁ ଆକ୍ରମଣ ହୋଇ ମାଥିଲି ଥାନାରେ ଅଭିଯୋଗ ହୋଇଛି
ବେଆଇନ ବାଲିଘାଟ କରି ବେଧଡକ ବାଲି ଚୋରାଚାଲାଣ ହେଉଥିବା ଖବର ପାଇଁ ଦୁଇ ଜଣ ସାମ୍ବାଦିକ ଭିଡିଓ ଉତ୍ତୋଳନ ପାଇଁ ଯାଇଥିଲେ। ଏତିକିବେଳେ କିଛି ଯୁବକ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଏବଂ ଉଭୟଙ୍କୁ ସେଠାରୁ ଗୋଡାଇଥିଲେ। ପ୍ରାଣ ବିକଳରେ ମାଢିଗୁଡା ଗାଁର ଏକ ଘରେ ଛପି ରହି ପୋଲିସକୁ ଖବର ଦେଇଥିଲେ ଦୁଇ ସାମ୍ବାଦିକ। ସଙ୍ଗେ ସଙ୍ଗେ ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମାଥିଲି ଥାନାକୁ ଆଣିଥିଲେ ।
ତେବେ ସାଧାରଣ ଭାବେ ଦିନ ଦ୍ବିପହରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସୁରକ୍ଷା ବ୍ୟବସ୍ଥା ଉପରେ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅଞ୍ଚଳରେ ଜଣେ ଯୁବ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର , ସଦସ୍ୟ ମାଣିକ ବାଛାଡଙ୍କ ସମେତ ମାଥିଲି ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ବସନ୍ତ ସଗରିଆ, ଶରତ ଚନ୍ଦ୍ର ମହାରଣା, ଲଳିତ କୁମାର ବେହେରା, ରାଜୀବ ବେହେରା, ଶ୍ୟାମ ନାୟକ, ଅଜିତ ସଗରିଆ, ସୁବାସ ଖୁଡୁପିଆ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲା ଆରକ୍ଷି ଅଧିକ୍ଷକଙ୍କୁ ମାଥିଲି ଥାନା ଆଇଆଇସିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଅନ୍ୟପକ୍ଷରେ ମାଥିଲିର ୩ ଜଣ ସାମ୍ବାଦିକଙ୍କ ନାଁରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ମାଥିଲି ଅଂଚଳର ଜେସିବି ମାଲିକ ରାମ ଅନୁଗୁଳିଆ। ଆବାସ ଘର ପାଇଁ ନିକଟସ୍ଥ ନଦୀରୁ ବାଲି ଉତ୍ତୋଳନ କରି ନେଉଥିବା ସେ ସ୍ବୀକାର କରିଛନ୍ତି। ତେବେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସେ ଜାଣିନଥିବା କହିଛନ୍ତି।