ସାନଖେମୁଣ୍ଡି,୧୬/୧୦ : ଜମି ବିବାଦକୁ ନେଇ ସାନଖେମୁଣ୍ଡି ତହସିଲ ଆଗରେ ସିଙ୍ଗିପୁର ଏବଂ ରତ୍ନମଣିପୁର ଦୁଇ ଗ୍ରାମବାସୀ ଧସ୍ତାଧସ୍ତି ହୋଇଛନ୍ତି। ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ। ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଲାଗି ରହିଛି ଏହି ବିବାଦ । ଉଭୟ ଗୋଷ୍ଠୀ ତହସିଲ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି । ତେବେ ଏହି ଭଳି ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଏବଂ ରତ୍ନମଣିପୁର ଗାଁ ମଧ୍ୟରେ । ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ ।
ଡ଼େଙ୍ଗାଉସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ରତ୍ନମଣିପୁରର ହନୁମାନ ବାଟିକା ଜାଗାକୁ ନେଇ ବିବାଦ ଲାଗି ରହିଛି। ରତ୍ନମଣିପୁର ଗ୍ରାମବାସୀ ସେଠାରେ ହନୁମାନ ପ୍ରତିମୂର୍ତ୍ତି କରି ମନ୍ଦିର ଏବଂ ପାର୍କ କରିଥିବାବେଳେ ସିଙ୍ଗିପୁର ଗାଁ ଲୋକ ସେଠାରୁ ଏହି ମନ୍ଦିର ହନୁମାନ ବାଟିକା ହଟାଇ ମାର୍କେଟ କମ୍ପେ୍ଲକ୍ସ ଏବଂ ଶୌଚାଳୟ ନିର୍ମାଣ ପାଇଁ ଅଡ଼ି ବସିଛନ୍ତି । ଯାହାକୁ ନେଇ ଆଜି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଯାଇଥିଲେ ଶହ ଶହ ଗ୍ରାମବାସୀ । ସେଠାରେ ଉଭୟ ଗ୍ରାମର ଲୋକଙ୍କ ଭିତରେ ବଚସା ହେବା ସହ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରୁଛି।