ନୂଆଦିଲ୍ଲୀ,୨୯/୦୯: ଚୀନ-ଫିଲିପାଇନ୍ସରେ ବାତ୍ୟା 'ରାଗାସା' ପରେ ଏବେ ଭିଏତନାମରେ ତାଣ୍ଡବ ରଚିଛି ଟାଇଫୁନ 'ବୁଆଲୋଇ' । ଭିଏତନାମରେ ହିଟ୍ କରିଛି ବାତ୍ୟା । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘରଦ୍ୱାର ଭାଙ୍ଗିଛି । ବିଦ୍ୟୁତ୍ ଖୁଣ୍ଟ, ଗଛ ଉପୁଡିଛି । ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୭ଜଣ ନିଖୋଜ ଅଛନ୍ତି ।
ଭିଏତନାମରେ ଉପକୂଳରେ ବାତ୍ୟା 'ବୁଆଲୋଇ' ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଛି । ବାତ୍ୟା ହିଟ୍ ହେବା ପରେ ସବୁ କିଛି ଛାରଖାର ହୋଇଛି । ଜାତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ସ୍ଥଳଭାଗ ଛୁଇଁବା ପୂର୍ବରୁ 'ବୁଆଲୋଇ' ଦେଶର ଉତ୍ତର କେନ୍ଦ୍ରୀୟ ଉପକୂଳ ଦେଇ ଗତି କରିଥିଲା, ଯାହା ଫଳରେ ୮ ମିଟର ଉଚ୍ଚ ଜୁଆର ଉଠିଥିଲା । ଘରଦ୍ୱାର ଭାଙ୍ଗିଛି, ଗଛ ଉପୁଡିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁ ସ୍ଥାନରେ ବାତ୍ୟା ମାଡ଼ ହୋଇଛି ସେଠାରେ ପ୍ରାୟ ୧ଲକ୍ଷ ସୈନ୍ୟ ମୁତୟନ ହୋଇଛନ୍ତି । ୪ଟା ତଟବର୍ତ୍ତୀ ବିମାନବନ୍ଦରକୁ ବନ୍ଦ କରାଯାଇଛି ।
ଚଳିତବର୍ଷ ଭିଏତନାମକୁ ୯ଟି ବାତ୍ୟା ମାଡ଼ ହୋଇ ସାରିଲାଣି । ‘ବୁଆଲୋଇ’ ହେଉଛି ଦଶମ । ବୁଆଲୋଇର ପ୍ରକୋପରେ ରବିବାର ସକାଳୁ ବର୍ଷା ଆରମ୍ଭ ହୋଇଥିଲା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପିଛା ୧୩୩ କିଲୋମିଟର ରହିଥିଲା । ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ରିପୋର୍ଟରେ ଅନୁସାରେ ବୁଆଲୋଇ ପ୍ରଭାବରେ ୨୪୫ ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧୪୦୦ ହେକ୍ଟର ଧାନ ଏବଂ ଫସଲ ନଷ୍ଟ ହୋଇଛି । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି । ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି ଭିଏତନାମ ।