ଭଦ୍ରକ: ଓଡ଼ିଶା ଭିଜିଲାନ୍ସ ବିଭାଗ ଆଜି ଭଦ୍ରକ ଜିଲ୍ଲାର ଧମନଗର ତହସିଲ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନସ୍ପେକ୍ଟର (ଆରଆଇ) ନଗେନ୍ଦ୍ର କୁମାର ଦାସଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।
ସୂଚନା ମୁତାବକ, ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଭଣ୍ଡାରିପୋଖରୀ ତହସିଲରୁ ବଦଳି ହୋଇ କାର୍ଯ୍ୟ କରି ଆସୁଥିଲେ। ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଦୟାନିଧି ମାଝୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ ମ୍ୟୁଟେସନ୍ (ରେକର୍ଡ ପରିବର୍ତ୍ତନ) ପ୍ରକ୍ରିୟାରେ ୬ ଟି କେସ ରେକର୍ଡରେ ପଟ୍ଟା କରାଇ ଦେବାକୁ ୪ ହଜାର ଟଙ୍କା ଦାବି କରିଥିଲେ।
ଅଭିଯୋଗକାରୀ ଶ୍ରୀ ମାଝୀ ପଟ୍ଟା କରିବାକୁ ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ହେବ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଆରି.ଆଇ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଶ୍ରୀ ଦାସ ଲାଞ୍ଚ ମାଗିବା ପରେ ଅଭିଯୋଗକାରୀ ପୂର୍ବ ଯୋଜନା ମୁତାବକ ଭଦ୍ରକ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗରର ଡି.ଏସ.ପି ଦୁଷ୍ମନ୍ତ କୁମାର ନାୟକ, ଇନ୍ସପେକ୍ଟର ବଙ୍କିମ୍ ବୱାଲିଙ୍କ ସମେତ ୧୦ ଜଣିଆ ଟିମ୍ ସଦଳବଳେ ଧରିବା ପାଇଁ ଯୋଜନା କରିଥିଲେ।
ଅଭିଯୋଗକାରୀ ଶ୍ରୀ ମାଝୀ କାର୍ଯ୍ୟଳୟରେ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ହଠାତ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡ଼ି ବସିଥିଲେ। ପରେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ଉକ୍ତ କାର୍ଯ୍ୟାଳୟ ପରିସରରେ ତନାଘନା କରାଯାଇଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଆର.ଆଇ ଶ୍ରୀ ଦାସଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ଆସନ୍ତାକାଲି ତାଙ୍କୁ ବାଲେଶ୍ୱରସ୍ଥିତ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ବୱାଲି ସୂଚନା ଦେଇଛନ୍ତି।