ଜଳେଶ୍ୱର, ୨୪/୦୯: ଗାଁକୁ ବିକ୍ରି କରିବାକୁ ଆସିଥିବା ବୁଲା ବିକାଳିଠୁ ଘୁଗୁନି ଖାଇ ୩୦ରୁ ଅଧିକ ଗ୍ରାମବାସୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ ୮ରୁ ଅଧିକ ଗୁରୁତର ରୋଗି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲା ବେଳେ କିଛି ଗୁରୁତର ଜଳେଶ୍ୱରରେ ଥିବା ଜିକେ ଭଟ୍ଟର ହସ୍ପିଟାଲ ଓ ହାତୀଗଡ଼ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ଗାଁରେ ଡାକ୍ତରୀ ଟିମ ପହଞ୍ଚିଥିବା ଜଣାପଡିଛି।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଦକ୍ଷୀଣପ୍ରହରାଜପୁର ପଂଚାୟତର ପ୍ରହରାଜପୁର ଗ୍ରାମରେ। ଖବର ମୁତାବକ, ଗତ ମଙ୍ଗଳବାର ସକାଳ ସମୟରେ ଉକ୍ତ ଗ୍ରାମକୁ ଜଣେ ବୁଲା ବିକାଳି ଘୁଗୁନି ବିକିବାକୁ ଆସିଥିଲେ। ଗ୍ରାମବାସୀମାନେ ମଧ୍ୟ ଘୁଗୁନି କିଣି ଖାଇଥିଲେ। ତେବେ ରାତି ପାଖାପାଖି ୨ଟା ସମୟରେ ହଠାତ୍ କିଛି ଲୋକଙ୍କୁ ଝାଡାବାନ୍ତି ଆରମ୍ଭ ହେଇଥିଲା। ପ୍ରଥମେ ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା।
ହେଲେ ସେଠାରେ ମଧ୍ୟ କେତେକ ରୋଗିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କ ମଧ୍ୟରୁ ୮ଜଣକୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ଗ୍ରାମର ପାଖାପାଖି ୩୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଗାଁରେ ଡାକ୍ତରୀ ଟିମ ପହଂଚି ଲୋକଙ୍କୁ ଚିକିତ୍ସା କରିବା ସହ ମେଡିସିନ ଯୋଗାଇ ଦିଆ ଯାଉଛି। ଅନ୍ୟ ପଟେ ଜଳେଶ୍ୱର ବିଜେପି ପକ୍ଷରୁ ଲୋକମାନଙ୍କର କିଭଳି ଉନ୍ନତ ଚିକିତ୍ସା କରାଯାଇପାରିବ ସେନେଇ ପଚାରି ବୁଝୁଥିବା ଦେଖିବାକୁ ମିଳିଛି।