ଜେରୁଜେଲମ: ଜେରୁଜେଲମର ରାମୋଟ ଜଙ୍କସନରେ ସୋମବାର ସକାଳେ ଏକ ଭୟଙ୍କର ଆକ୍ରମଣରେ ଦୁଇ ଜଣ ବନ୍ଧୁକଧାରୀ ଏକ ଯାତ୍ରୀବାହି ବସ୍ ଏବଂ ବସ୍ ଷ୍ଟପ୍ ଉପରେ ଗୁଳି ଚଳାଇଛନ୍ତି। ଯେଉଁଥିରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହେବା ସହ ୧୭ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏବଂ ଜରୁରୀକାଳୀନ ସେବା ଦେଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ହିଁ ନିପାତ କରାଯାଇଛି।
ଆକ୍ରମଣଟି ସକାଳର ଭିଡ଼ ସମୟରେ ରାମୋଟ ଜଙ୍କସନରେ ଘଟିଥିଲା। ଯେଉଁଠାରେ ଦୁଇ ଆକ୍ରମଣକାରୀ ଏକ କାରରେ ଆସି ବସ୍ ଷ୍ଟପରେ ଥିବା ଲୋକଙ୍କ ଉପରେ ଏବଂ ପରେ ବସ୍ ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ମାଗେନ ଡେଭିଡ ଆଦୋମ ଆମ୍ବୁଲାନ୍ସ ସେବା ଅନୁଯାୟୀ, ମୃତକମାନଙ୍କ ମଧ୍ୟରେ ତିନି ଜଣ ୩୦ ବର୍ଷ ବୟସର ପୁରୁଷ, ଜଣେ ୫୦ ବର୍ଷ ବୟସର ମହିଳା ଏବଂ ଜଣେ ୫୦ ବର୍ଷ ବୟସର ପୁରୁଷ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ପୋଲିସର ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ପଶ୍ଚିମ ପାଲେଷ୍ଟାଇନୀୟ ନାଗରିକ ଥିଲେ। ଏବଂ ସେମାନେ ଏହି ଆକ୍ରମଣ ପାଇଁ ଏକ ଭଡାରେ ନିଆଯାଇଥିବା କାର୍ଲୋ ସବମେସିନ ଗନ ବ୍ୟବହାର କରିଥିଲେ। ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ସଶସ୍ତ୍ର ନାଗରିକ ଦ୍ୱାରା ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ହିଁ ଗୁଳି କରାଯାଇଥିଲା। ହମାସ ଏହି ଆକ୍ରମଣକୁ ପ୍ରଶଂସା କରିଛି, କିନ୍ତୁ ଏହାର ଦାୟିତ୍ୱ ଗ୍ରହଣ କରି ନାହିଁ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି, "ଆମେ ଏକ ବଡ଼ ଧରଣର ଯୁଦ୍ଧରେ ଅଛୁ, ଅନେକ ମୋର୍ଚ୍ଚାରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଛୁ।" ତେବେ ଏହାର ଜବାବରେ ଇସ୍ରାଏଲୀ ସେନା ଅନେର ପାଲେଷ୍ଟାଇନୀୟ ଗାଁଗୁଡିକୁ ଘେରି ରହିଛି ଏବଂ ଆକ୍ରମଣକାରୀଙ୍କ ସମ୍ପର୍କୀୟମାନଙ୍କୁ ଖୋଜା ଜାରି ରଖିଛି।
ଏହି ଆକ୍ରମଣ ଗାଜା ଯୁଦ୍ଧ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଚାଲୁଥିବା ଉତ୍ତେଜନା ମଧ୍ୟରେ ଘଟିଛି। ଗତ ଅକ୍ଟୋବର ୨୦୨୪ରେ ତେଲ ଆଭିଭରେ ହୋଇଥିବା ଏକ ସମାନ ଧରଣର ଆକ୍ରମଣରେ ୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଯାହାର ଦାୟିତ୍ୱ ହମାସ ନିଜ ମୁଣ୍ଡରେ ନେଇଥିଲା।