ନୂଆଦିଲ୍ଲୀ ୦୫/୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର୍ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ । ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ସେ ଅକ୍ଟୋବର ୮ରେ ଆସି ୯ ତାରିଖରେ ପ୍ରତ୍ୟାବର୍ତ୍ତନ କରିବା ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଷ୍ଟାର୍ମର ନିଜର ଏହି ଦୁଇଦିନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ‘ଭିଜନ ୨୦୩୫’ ରୋଡ୍ମ୍ୟାପ୍ ଜରିଆରେ ଉଭୟ ନେତା ‘ଭାରତ-ବ୍ରିଟେନ୍ ବ୍ୟାପକ ରଣନୀତିକ ସହଯୋଗିତା’ରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରିବେ । ଏହି ୧୦ ବର୍ଷିଆ ଯୋଜନାରେ ବାଣିଜ୍ୟ ଓ ନିବେଶ, ପ୍ରଯୁକ୍ତି, ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ପରିବେଶ, ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ପ୍ରସଙ୍ଗ ସାମିଲ ରହିଛି ।
ଅକ୍ଟୋବର ୯ରେ ମୁମ୍ବାଇରେ ମୋଦି ଓ ଷ୍ଟାର୍ମର ବ୍ୟବସାୟ ଓ ଶିଳ୍ପ ନେତାଙ୍କ ସହ ବୈଠକ କରିବେ । ଏହି ସମୟରେ ଉଭୟ ନେତା ଭାରତ-ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା (ସିଇଟିଏ)ରେ ରହିଥିବା ସୁଯୋଗଗୁଡ଼ିକର ଅନ୍ୱେଷଣ କରିବେ । ଏହାବ୍ୟତୀତ ଉକ୍ତ ବୈଠକରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ନେଇ ମଧ୍ୟ ଚର୍ଚ୍ଚା ହେବ । ଉଭୟ ନେତା ଷଷ୍ଠ ‘ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ’ରେ ଅଂଶଗ୍ରହଣ କରିବେ । ଏଠାରେ ସେମାନେ ନିବେଶକ, ନୀତି ନିର୍ଦ୍ଧାରଣକାରୀ ଓ ଶିଳ୍ପ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିବେ । ଉଭୟ ନେତା ବୈଠକରେ ସମ୍ବୋଧନ କରିବା କାର୍ଯ୍ୟକ୍ରମ ବି ରହିଛି । କୀର୍ ଷ୍ଟାର୍ମରଙ୍କୁ ଭାରତ ଆସିବା ପାଇଁ ମୋଦି ହିଁ ଆମନ୍ତ୍ରଣ କରିଥିଲେ । ଚଳିତବର୍ଷ ଜୁଲାଇରେ ମୋଦି ବ୍ରିଟେନ୍ ଗସ୍ତ କରି ଷ୍ଟାର୍ମରଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ‘ଭିଜନ୍ ୨୦୩୫’କୁ ସୁଦୃଢ଼ ନିମନ୍ତେ ଉଭୟ ନେତା ପ୍ରତିରକ୍ଷା ଶିଳ୍ପ ରୋଡ୍ମ୍ୟାପ୍ରେ ଦସ୍ତଖତ କରିଥିଲେ ।