ନୂଆଦିଲ୍ଲୀ, ୧୪/୧୦ : କଫ୍‌ ସିରପ୍ ନୁହେଁ ତ ବିଷ। ଭାରତର ୩ଟି ବ୍ରାଣ୍ଡ୍‌ର କଫ୍‌ ସିରପ୍‌କୁ ନେଇ WHOର ଚେତାବନୀ। ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ଶ୍ରୀସାନ୍ ଫାର୍ମାସ୍ୟୁଟିକାଲ୍ସ, ରେଡନେକ୍ସ ଫାର୍ମାସ୍ୟୁଟିକାଲ୍ସ ଏବଂ ଶେପ୍ ଫାର୍ମା ଦ୍ୱାରା ନିର୍ମିତ କୋଲଡ୍ରିଫ୍, ରେସ୍ପିଫ୍ରେସ୍ ଟିଆର୍ ଏବଂ ରିଲାଇଫ୍‌ କଫ୍ ସିରପ୍ ସମ୍ଭାବ୍ୟ ଘାତକ ରୋଗ ସୃଷ୍ଟି କରିପାରେ। ଏହି ୩ଟି ବ୍ରାଣ୍ଡ୍‌ର ବିଷାକ୍ତ କଫ୍ ସିରପ ମିଳିଲେ ତୁରନ୍ତ ଜଣାଇବାକୁ ଚେତାବନୀ ଦେଇଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। 

ଗତ ସପ୍ତାହରେ ଏହି ସିରପ୍ ଖାଇବା ପରେ ଭାରତରେ ୫ ବର୍ଷରୁ କମ୍ ବୟସର ୧୭ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଔଷଧଗୁଡ଼ିକ ମଧ୍ୟରୁ କୌଣସିଟି ଭାରତରୁ ରପ୍ତାନି କରାଯାଇ ନାହିଁ ଏବଂ ଅବୈଧ ରପ୍ତାନିର କୌଣସି ପ୍ରମାଣ ନାହିଁ ବୋଲି ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) WHOକୁ ସୂଚନା ଦେଇଛି। ଏହି ଔଷଧର ପ୍ରୟୋଗଶାଳା ପରୀକ୍ଷଣରେ ଡାୟଥିଲିନ ଗ୍ଲାଇକଲ୍‌ର ମିଶ୍ରଣ ହୋଇଥିବା ଜଣାପଡ଼ିଛି। ଯାହାକି ଏକ ବିଷାକ୍ତ ରସାୟନ। 

ମଧ୍ୟପ୍ରଦେଶର ଡ୍ରଗ୍ସ ନିୟନ୍ତ୍ରକ ଜେନେରାଲ୍, ଡିକେ ମୌର୍ଯ୍ୟ କହିଛନ୍ତି ଯେ, ସିରପ୍‌ରେ ଏହି ରସାୟନର ଅନୁମୋଦିତ ସୀମା କେବଳ 0.୧% ଥିବା ବେଳେ ଏହି ବ୍ରାଣ୍ଡ୍‌ର କଫ୍ ସିପ୍‌ରେ ୪୮% ରୁ ଅଧିକ ଡାଏଥିଲିନ୍ ଗ୍ଲାଇକଲ୍ (DEG) ମିଶା ଯାଇଛି। ଯାହାକି ଅତ୍ୟନ୍ତ ବିପଜ୍ଜନକ। ତେବେ କୋଲଡ୍ରିଫ୍ କଫ୍ ସିରପ୍ ଉପରେ ଏବେ ଅନେକ ରାଜ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର ଏବେ ତାମିଲନାଡୁର ଏହି ଭେଜାଲ୍ କଫ୍ ସିରପ୍ ନିର୍ମାତା, କୋଲଡରିଫ୍, ଶ୍ରୀସାନ୍ ଫାର୍ମାସ୍ୟୁଟିକାଲ୍‌ର ଉତ୍ପାଦନ ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରି ଦେଇଛନ୍ତି ଏବଂ କମ୍ପାନୀକୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।