ନୂଆଦିଲ୍ଲୀ,୦୧/୧୧: ମୁମ୍ବାଇର ପୱଇସ୍ଥିତ ଆରଏ ଷ୍ଟୁଡିଓରେ ଗତ ଗୁରୁବାର ପଣବନ୍ଦୀ ନାଟକର ଅନ୍ତ ଘଟିଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନରେ ଅପହର୍ତ୍ତାକ ମୃତ୍ୟୁ ଘଟିଥିଲା ବେଳେ ପଣବନ୍ଦୀ ଥିବା ୧୭ ପିଲାଙ୍କ ସମେତ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମୃତ ଅପହର୍ତ୍ତାଙ୍କ ନାମ ରୋହିତ ଆର୍ଯ୍ୟ । ଏବେ ରୋହିତଙ୍କ ଉପରେ ପୁଲିସ୍‌ କରିଥିବା ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଛି । କ'ଣ ଏହା ଯଥାର୍ଥ ଥିଲା କି ? ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନ୍‌କାଉଣ୍ଟର କରିବ ଠିକ୍ ନା ଭୁଲ ତାକୁ ନେଇ ତର୍କ-ବିତକ୍ତ ଆରମ୍ଭ ହୋଇଛି ।

ପୁଲିସର ଏନ୍‌କାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅଧିକାରୀ । ପୂର୍ବ ଆଇପିଏସ୍‌ ଅଧିକାରୀ ସୁଧାକର ସୁରଡକର ପରିସ୍ଥିତିକୁ ସମାଲୋଚନା କରି ବୃତ୍ତିଗତ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି । ଫ୍ରି ପ୍ରେସ୍ ଜରନାଲକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଜଣେ ପ୍ରଶିକ୍ଷିତ ଆଲୋଚକଙ୍କୁ ନିୟୋଜିତ କରାଯାଇଥିଲା କି ? ଯଦି ସେ ଗୁଳି ଚଳାଇଲେ ତେବେ ତାଙ୍କୁ କାବୁ କରାଯାଇପାରିଥାନ୍ତା  କିଛି ଅଧିକାରୀ ଅନାବଶ୍ୟକ ବୀରତ୍ୱରେ ଲିପ୍ତ ଅଛନ୍ତି, ଏହି ହିରୋଗିରି ବନ୍ଦ ହେବା ଉଚିତ୍ ।''

ସେହିପରି ସାମାଜିକ କର୍ମୀ ଆଫତାବ ସିଦ୍ଦିକ ସମାନ ଚିନ୍ତାଧାରାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, ପୁଲିସ୍ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ । ରାଜନୈତିକ ହସ୍ତକ୍ଷେପ ଏବଂ ଅହଂକାର ପରିସ୍ଥିତିକୁ ଆହୁରି ଖରାପ କରୁଛି । ଅନ୍ୟପଟେ ପୂର୍ବତନ ଦୀପକ କେସରକର କାହିଁକି ରୋହିକ ଆର୍ଯ୍ୟଙ୍କ ସହ ସିଧାସଳଖ କଥା ହେଲେ ନାହିଁ ବୋଲି ପ୍ରଶ୍ନ କରି କହିଛନ୍ତି ଏବେ ତ ସେ ଆଉ ନାହାନ୍ତି । ତାଙ୍କ ମାନସିକ ଆଘାତର ପ୍ରକୃତ କାରଣ ଭୁଲିଯିବ । ସେହିପରି ଅବସରପ୍ରାପ୍ତ ଏସିପି ଅରବିନ୍ଦ ପାଟିଲ ଅନୁଭବ କରିଛନ୍ତି କି, ପୁଲିସ ତାଙ୍କୁ ଏନକାଉଣ୍ଟର ନକରି କେବଳ ଆହତ କରି ଧରି ପାରିଥାନ୍ତା ।

ପୂର୍ବ ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା ଓ ଅବସରପ୍ରାପ୍ତ ଡିଜିପି ପ୍ରବୀଣ ଦୀକ୍ଷିତ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ପ୍ରଦୀପ ଶର୍ମା କହିଛନ୍ତି, ୧୭ଟି ପିଲାଙ୍କ ଜୀବନ ବିପଦରେ ଥିଲା । ଅଭିଯୁକ୍ତ ଷ୍ଟୁଡିଓରେ ରାସାୟନିକ ପଦାର୍ଥ ସ୍ପ୍ରେ କରିଥିଲେ । ପୁଲିସ୍ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା । କାର୍ଯ୍ୟାନୁଷ୍ଠାନ ଯଥାର୍ଥ ଥିଲା । ଏପିଆଇ ୱାଘାମାରେ ଓ ତାଙ୍କ ଟିମ୍ ପ୍ରଶଂସା ଯୋଗ୍ୟ । ସେହିପରି ପୂର୍ବତନ ଡିଜିପି ପ୍ରବୀଣ ଦୀକ୍ଷିତ କହିଛନ୍ତି, ଯେବେ କେହି ପିଲାଙ୍କୁ ଜୀବନ୍ତ ଜାଳିଦେବାକୁ କୁହେ ଏବଂ ଅଫିସରଙ୍କ ଉପରେ ଗୁଳି ଚଳାଏ ପୁଲିସ ପାଖରେ ଜାବାବି ଗୁଳି ଚାଳନା ବ୍ୟତୀତ ଆଉ କିଛି ବିକଳ୍ପ ଥାଏ କି ? ସେମାନଙ୍କ ପ୍ରାଥମିକତା ଥିଲା ନିର୍ଦ୍ଦୋଷଙ୍କ ଜୀବନ ବଞ୍ଚାଇବା ।

ଆଉ ଜଣେ ବରିଷ୍ଠ ପୁଲିସ ଅଧିକାରୀ, ନାମ ଗୋପନ ରଖି କହିଛନ୍ତି, “ଯଦି ଏହି ଏନକାଉଣ୍ଟର ହୋଇନଥାନ୍ତା, ତେବେ ଭବିଷ୍ୟତରେ ମୁମ୍ବାଇ ସମାନ ବନ୍ଧକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତା । ପୱାଇ ଅପରେସନ୍ ଏକ ଦୃଢ଼ ବାର୍ତ୍ତା ଦେଉଛି ଯେ, ପିଲାମାନଙ୍କ ସହିତ ଜଡିତ ଅପରାଧିକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ପୁଲିସ ପ୍ରଥମେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେଷ୍ଟା କରିଥିଲା, ଏହା ଶେଷ ଉପାୟ ଥିଲା ।”

କଣ ମାମଲା ? ମୁମ୍ବାଇର ପୱାଇସ୍ଥିତ ଏକ ଷ୍ଟୁଡିଓରେ ପଣବନ୍ଦୀର ନାଟକ ରଚା ଯାଇଥିଲା । ରୋହିତ ଆର୍ଯ୍ୟ ଜଣେ ୟୁଟ୍ୟୁବର ଭାବେ ଉକ୍ତ ଷ୍ଟୁଡିଓରେ କାର୍ଯ୍ୟ କରୁଥିଲେ । ପୁଲିସର ସୂଚନା ଅନୁସାରେ ୩ ଦିନ ଧରି ଉକ୍ତ ଷ୍ଟୁଡିଓରେ ପିଲାଙ୍କର ଅଡିସନ ଚାଲିଥିଲା । ପ୍ରାୟ ୧୦୦ ପିଲା ସେଠାକୁ ଆସିଥିଲେ । ଗୁରୁବାର ରୋହିତ ସେମାନଙ୍କ ମଧ୍ୟରୁ ୮୦ ଜଣ ପିଲାଙ୍କୁ ଛାଡ଼ି ଦେଇଥିଲେ । ଅନ୍ୟ ୧୭ ଜଣ ପିଲା, ଜଣେ ବରିଷ୍ଠ ନାଗରିକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ପଣବନ୍ଦୀ କରି ରଖିଥିଲେ । ସେହି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଛାଡ଼ି ନଥିଲେ । ଫଳରେ ବାହାରେ ଅପେକ୍ଷା କରିଥିବା ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ । ଏହି ସମୟରେ ସେମାନଙ୍କ ନିକଟକୁ ଏକ ଭିଡିଓ ମେସେଜ ଆସିଥିଲା ଏବଂ ସେଥିରେ ପିଲାମାନଙ୍କୁ ପଣବନ୍ଦୀ କରାଯାଇଥିବା କୁହାଯାଇଥିଲା । ଏହି ମେସେଜ ରୋହିତ ନିଜେ ପଠାଇଥିବା ଜଣାପଡ଼ିଥିଲା । ସେଥିରେ ରୋହିତ କହିଥିଲେ କି ତାଙ୍କ କଥା ଶୁଣାଯାଉ ଏବଂ ତାଙ୍କର ଦାବି ପୂରଣ କରାଯାଉ । ସେ ଆତଙ୍କବାଦୀ ନୁହନ୍ତି କିମ୍ବା କୌଣସି ବିପୁଳ ଟଙ୍କା ମଧ୍ୟ ଦାବି କରୁନାହାନ୍ତି । ସେ କେବଳ ନିଜର ହକ୍‌ ମାଗୁଛନ୍ତି । ଏହି ଭିଡିଓକୁ ନେଇ ଅଭିଭାବକମାନେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଷ୍ଟୁଡିଓକୁ ଚାରିପଟୁ ଘେରିଯାଇଥିଲେ । ପ୍ରଥମେ ରୋହିତ ସହ କଥାବାର୍ତ୍ତା କରି ପିଲାଙ୍କୁ ଉଦ୍ଧାର କରିବାକୁ ପୁଲିସ ଚାହିଁଥିଲା । କିନ୍ତୁ ରୋହିତ କହିଥିଲେ କି ତାଙ୍କ କଥା ଶୁଣିବା ଓ ତାଙ୍କର ଦାବି ପୂରଣ ହେବା ପରେ ସେ ପିଲାଙ୍କୁ ଛାଡିବେ । ଯଦି ବଳପୂର୍ବକ କେହି ପ୍ରବେଶ କରନ୍ତି ତେବେ ଷ୍ଟୁଡିଓରେ ନିଆଁ ଲଗାଇଦେବାକୁ ସେ ଧମକ ଦେଇଥିଲେ ।

ପ୍ରାୟ ୨ ଘଣ୍ଟା ଧରି ଏଭଳି ନାଟକ ଲାଗି ରହିବା ପରେ ଶେଷରେ ପଣବନ୍ଦୀ ଥିବା ପିଲାଙ୍କୁ ଉଦ୍ଧାର କରିବା ଲାଗି କମାଣ୍ଡୋଙ୍କ ପକ୍ଷରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀ ଶିଡ଼ି ଲଗାଇବା ପରେ ୮ ଜଣ କମାଣ୍ଡୋ ଷ୍ଟୁଡିଓ ଭିତରେ ପଶିଥିଲେ । ସେମାନେ ଶୌଚାଳୟ ଦେଇ ରୁମ୍‌ରେ ପହଞ୍ଚିଥିଲେ । କମାଣ୍ଡୋଙ୍କୁ ଦେଖି ଅଭିଯୁକ୍ତ ରୋହିତ ସେମାନଙ୍କୁ ଗୁଳିମାଡ଼ କରିଥିଲେ । କିନ୍ତୁ କମାଣ୍ଡୋଙ୍କ ଗୁଳିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ପିଲାମାନଙ୍କୁ ଉଦ୍ଧାର କରାଯିବା ସହ ରୋହିତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟଙ୍କା ନମିଳିବାକୁ ରୋହିତ ମାନସିକ ଅଶାନ୍ତିରେ ଥିଲେ । ପିଲାଙ୍କ ସୁରକ୍ଷା ପାଇଁ ଏନକାଉଣ୍ଟର କରିଥିଲା ପୁଲିସ । ଅଢେଇ ଘଣ୍ଟାର କସରତ ପରେ ୧୭ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।