ଭୁବନେଶ୍ଵର : କ'ଣ ଆପଣ ବି ସକାଳୁ ଉଠି ଓଜନ କମାଇବା ପାଇଁ ଗରମ ପାଣିରେ ଲେମ୍ବୁ ନା ମହୁ ମିଶାଇ ପିଉଛନ୍ତି ? ଏବେ ଏହା ପ୍ରାୟ ଲୋକଙ୍କ ପାଇଁ ଖୁବ୍ ସାଧାରଣ ହୋଇପଡିଛି । କିନ୍ତୁ କେବେ ଭାବିଛନ୍ତି କେଉଁଟା ବେଶୀ ପ୍ରଭାବଶାଳୀ ? କେବଳ କୌଣସି ପାନୀୟ ଓଜନ କମାଇବାରେ ସଫଳ ହୋଇ ନଥାଏ । ଯଦି ସନ୍ତୁଳିତ ଆହାର ସାଙ୍ଗକୁ ବ୍ୟାୟାମ ନ କରନ୍ତି । ଉଭୟ ମହୁ ଓ ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇ ଖୁବ୍ ହିତକର । କିନ୍ତୁ କେଉଁ ପାଣି ବେଶୀ ସ୍ୱାସ୍ଥ୍ୟପ୍ରଦ? ଯାହା ଓଜନ କମାଇବାରେ ସହାୟକ ହୋଇଥାଏ ।
ମହୁପାଣି:
ମହୁକୁ ଅମୃତ କୁହାଯାଏ । ଏହା ଆଣ୍ଟି ଅକ୍ସିଡାଣ୍ଟସ୍, ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ଭରା । ତେଣୁ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।
ମେଟାବଲିଜିମ୍ ବଢେ: ମହୁ ଶରୀରର ମେଟାବଲିଜିମ୍ ମାତ୍ରାକୁ ବହୁ ପରିମାଣରେ ବଢାଇଥାଏ । ମେଟାବଲିଜିମ୍ ବଢିବା ସହ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଫଳରେ ଓଜନ କମିବାରେ ସହଯୋଗ ମିଳିଥାଏ ।
ଶକ୍ତିର ଉତ୍ସ: ମହୁରେ ପ୍ରାକୃତିକ ଶର୍କରା ରହିଥାଏ, ଯାହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ତେଣୁ ସକାଳେ ମହୁ ପାଣି ପିଇବା ଦ୍ୱାରା ସାରା ଦିନ ସତେଜତା ଅନୁଭବ ହୋଇଥାଏ । ସେହିପରି ଦିନସାରା ଥକ୍କାପଣ ମଧ୍ୟ ଅନୁଭବ ହୋଇ ନଥାଏ ।
ପାଚନ ତନ୍ତ୍ର ସୁଧାରେ: ଏହା ପଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ କବ୍ଚ ବା କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଦୂର କରିଥାଏ ।
ଲେମ୍ବୁ ପାଣି
ଏହା ଶରୀରରେ ସତେଜତା ଆଣିଥାଏ । ଏଥିରେ ଭରପୂର ମାତ୍ରାର ଭିଟାମିନ୍-ସି ଓ ସାଇଟ୍ରିକ୍ ଏସିଡ୍ ରହିଥାଏ ।
ଡିଟକ୍ସିଫିକେସନ୍: ଲେମ୍ବୁ ପାଣି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟତା କରିଥାଏ । ଲିଭର୍ ଓ କିଡ୍ନୀରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ନିଷ୍କାସନ କରିଥାଏ ।
ଭୋକକୁ ନିୟନ୍ତ୍ରିତ କରେ: କେତେକ ଅଧ୍ୟୟନ ଅନୁସାରେ ଲେମ୍ବୁ ପଣି ପିଇବା ଦ୍ୱାରା ଭୋକ କମ୍ ଲାଗିଥାଏ । ଫଳରେ କମ୍ ଖାଦ୍ୟ ଖାଇବାକୁ ପଡିଥାଏ । ତେଣୁ ଅନାବଶ୍ୟକ କ୍ୟାଲୋରୀ ନେବାକୁ ପଡି ନଥାଏ ।
ହାଇଡ୍ରେଟ୍ ଓ ମେଟାବଲିଜିମ୍: ଲେମ୍ବୁ ପାଣି ଶରୀରକୁ ଜଳଶୁଷ୍କତାଠାରୁ ଦୂରେଇ ରଖିବା ସହ ମେଟାବଲିଜିମ୍କୁ ମଧ୍ୟ ତୀବ୍ର କରାଇଥାଏ ।
କିଏ ଅଧିକ ଫାଇଦା ଦିଏ ?
ଓଜନ କମାଇବାରେ ଉଭୟ ପାରଙ୍ଗମ । ତଥାପି ଏହା ବ୍ୟକ୍ତିର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ମହୁ ପାଣି ସେମାନଙ୍କ ପାଇଁ ଲାଭପ୍ରଦ, ଯେଉଁମାନେ ଉଠିବା ପରେ ତୁରନ୍ତ ଶକ୍ତି ଚାହାନ୍ତି ଏବଂ ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ । ସେହିପରି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଦିଗରେ ଲେମ୍ବୁ ପାଣିର ମହତ୍ତ୍ୱ ଅଧିକ । ହାଲ୍କା ଉଷୁମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଅଧିକ ଲାଭ ମିଳେ । ଏହି ମିଶ୍ରଣକୁ ପିଇବା ଦ୍ୱାରା ଶକ୍ତି ମିଳିବା ସହ ବିଷାକ୍ତ ପଦାର୍ଥ ବାହାରିଥାଏ । ସେହିପରି ପାଚନ ତନ୍ତ୍ର ସୁଧାରିବା ସହ ମେଟାବଲିଜିମ୍ ବଢିବା ଯୋଗୁ ସାରା ଦିନ ବ୍ୟକ୍ତି ସକ୍ରିୟ ରଖିଥାଏ ।