ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧ ପରେ ଭାରତ ରୁଷରୁ ତେଲ କ୍ରୟ ହ୍ରାସ କରିବା ଆରମ୍ଭ କରିଛି ବୋଲି ଗୁରୁବାର ହ୍ୱାଇଟ୍ ହାଉସ୍ ଦାବି କରିଛି। ଏନେଇ ହ୍ୱାଇଟ୍ ହାଉସର ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏପରି ଦାବି କରିଛନ୍ତି। ସେ କହିଛନ୍ତି, "ଯଦି ଆପଣ ରୁଷ ଉପରେ ଲାଗୁ ହୋଇଥିବା କଟକଣାକୁ ଦେଖନ୍ତି ଏବଂ ଜାଣନ୍ତି, ତେବେ ସେଗୁଡ଼ିକ ବହୁତ କଠିନ ବୋଲି ଆପଣ ନିଶ୍ଚୟ ଜାଣିଥିବେ।" ବୁଧବାର ଦିନ, ଆମେରିକା ରୁଷର ଦୁଇଟି ବୃହତ୍ ତୈଳ କମ୍ପାନୀ, ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଘୋଷଣା କରିଛି। ଏହି କମ୍ପାନୀଗୁଡ଼ିକ ଉପରେ କଟକଣାକୁ ରୁଷର ରାଜସ୍ୱ ଉତ୍ସ ପାଇଁ ଏକ ବଡ଼ ଆଘାତ ବୋଲି ବିବେଚନା କରାଯାଉଛି।
ଗୁରୁବାର, କାରୋଲିନ୍ ଲେଭିଟ୍ଙ୍କୁ ରୁଷିଆନ୍ କମ୍ପାନୀଗୁଡ଼ିକ ଉପରେ କଟକଣା ବିଷୟରେ କେତେକ ସାମ୍ୱାଦିକ ପ୍ରଶ୍ନ କରିଥିଲେ। ଜବାବରେ ସେ ଦାବି କରିଥିଲେ ଯେ, "ମୁଁ କିଛି ଅନ୍ତର୍ଜାତୀୟ ରିପୋର୍ଟ ଦେଖିଛି, ଯେଉଁଥିରେ ଚୀନ୍ ମଧ୍ୟ ରୁଷିଆରୁ ନିଜର ତୈଳ କ୍ରୟ ହ୍ରାସ କରିବା ଜାରି ରଖିଛି। ଆମେ ଜାଣୁ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁରୋଧରେ ଭାରତ ମଧ୍ୟ ସେହିପରି କରିଛି।" କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ଆମେରିକା ମଧ୍ୟ ଏହାର ୟୁରୋପୀୟ ସହଯୋଗୀମାନଙ୍କୁ ସେମାନଙ୍କର ରୁଷିଆନ୍ ତୈଳ ଆମଦାନୀ ହ୍ରାସ କରିବାକୁ ଅପିଲ୍ କରିଛି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଗତ କିଛି ଦିନ ଧରି ଦାବି କରିଆସୁଛନ୍ତି ଯେ ଭାରତ ରୁଷରୁ ତେଲ ଆମଦାନୀ ହ୍ରାସ କରିବାନେଇ ତାଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛି। ତଥାପି, ଭାରତ ପକ୍ଷରୁ ଏନେଇ କୌଣସି ନିଶ୍ଚିତତା ମିଳିପାରିନାହିଁ। ଭାରତ କହିଛି ଯେ ଏହାର ଶକ୍ତି ନୀତି ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ଏବଂ ସରକାରଙ୍କ ଲକ୍ଷ୍ୟ ହେଉଛି ଏହାର ଗ୍ରାହକମାନଙ୍କ ପାଇଁ ସୁଲଭ ଏବଂ ସୁରକ୍ଷିତ ଯୋଗାଣ ସୁନିଶ୍ଚିତ କରିବା।
ଆମେରିକା ଅଭିଯୋଗ କରିଛି ଯେ ଭାରତ ମସ୍କୋରୁ ଅଶୋଧିତ ତେଲ କିଣି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେଉଛି। ଏହାର ଜବାବରେ, ଆମେରିକା ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଯାହା ଫଳରେ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ହୋଇଛି। ତେବେ, ଭାରତ ଆମେରିକାର ଏହି ପଦକ୍ଷେପକୁ ଭୁଲ ଏବଂ ଅବାନ୍ତର ବୋଲି କହି ଏହାର କଡା ନିନ୍ଦା କରିଛି।
ଲେଭିଟ୍ କହିଛନ୍ତି ଯେ ଟ୍ରମ୍ପ ବହୁ ପୂର୍ବରୁ ରୁଷ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଇଙ୍ଗିତ ଦେଇଥିଲେ। ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଏକ ଶାନ୍ତି ଚୁକ୍ତିନାମା ଦିଗରେ ଆଗକୁ ବଢ଼ିବାରେ ଯଥେଷ୍ଟ ଆଗ୍ରହ ଦେଖାଉ ନଥିବା ଅଭିଯୋଗ କରିଥିଲେ। ସମ୍ପ୍ରତି ଟ୍ରମ୍ପ ହଙ୍ଗେରୀରେ ପୁଟିନଙ୍କ ସହ ଏକ ବୈଠକ ବାତିଲ କରିବା ନେଇ ଘୋଷଣା ମଧ୍ୟ କରିଥିଲେ। ତଥାପି, ହ୍ୱାଇଟ୍ ହାଉସ୍ କହିଛି ଯେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପାଇଁ ଆଶା ସମ୍ପୂର୍ଣ୍ଣ ଭାବରେ ହଜି ନାହିଁ ଏବଂ ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ରହିଛି।