ଭୋଗରାଇ,୬।୯(ଆ.ପ୍ର): ବେଙ୍ଗାଲୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ପତ୍ନୀ ଓ ଏକମାତ୍ର ଶିଶୁପୁତ୍ରର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଭୋଗରାଇ ଥାନା ବର୍ତ୍ତନା ଗ୍ରାମର ତପନ କୁମାର ଦେଙ୍କ ସାନପୁଅ ଦୀପକ ଦେଙ୍କ ପତ୍ନୀ ସୁଜାତା ଦେ (୨୭) ଓ ତାଙ୍କର ଏକମାତ୍ର ଶିଶୁପୁତ୍ର ଓମ୍ (୭) । ଦୀପକ କାମକୁ ଯାଇଥିବା ବେଳେ ସେ ରହୁଥିବା ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ସୁଜାତା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ତାଙ୍କ ଶିଶୁପୁତ୍ରଟିର ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ଜଳିଯାଇଥିଲା । ଖବରପାଇ ଦୀପକ ଘରେ ପହଞ୍ଚି ସୁଜାତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଇଥିବା ଦେଖିବାକୁ ପାଇଥିଲେ । ତେବେ ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଆଜକୁ ପ୍ରାୟ ୧୦ ବର୍ଷ ପୂର୍ବେ ଦୀପକ ଚାକିରି ସନ୍ଧାନରେ ବେଙ୍ଗାଲୁର ଯାଇ ସେଠାରେ ଏକ କୁକୁଡ଼ା ଫାର୍ମରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ପରେ ୨୦୧୭ ମସିହାରେ ପାରାଦୀପ ଅଞ୍ଚଳର ସୁଜାତାଙ୍କୁ ଦୀପକ ପ୍ରେମ ବିବାହ କରି ବାଙ୍ଗାଲୋର ନେଇ ଯାଇଥିଲେ । ୨୦୧୮ ମସିହାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରତ୍ଯେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶନିବାର ସକାଳେ ଦୀପକ କାମକୁ ଗଲା ପରେ ସେ ରହୁଥିବା କମ୍ପାନୀ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ, ପାଖ ପଡୋଶୀ ଆସି ନିଆଁ ଲିଭେଇବା ବେଳକୁ ସୁଜାତା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଖରେ ଥିବା ଶିଶୁପୁତ୍ରଟିର ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ଖବରପାଇ ଦୀପକ ଘଟଣା ସ୍ଥଳରେ ପହଞ୍ଚି ସ୍ତ୍ରୀ ଓ ପୁଅକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ତେବେ ଡ଼ାକ୍ତର ସେଠାରେ ସୁଜାତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଶିଶୁପୁତ୍ରର ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ସୁଜାତା ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ଷଡ଼ଯନ୍ତ୍ର କରି ପୋଡ଼ି ମାରିଦେଇଛି, ଏନେଇ ପୁଲିସ୍ ତଦନ୍ତ ଜାରି କରୁଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିବା ବେଳେ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।