କେନ୍ଦୁଝର ସଦର, ୨୪/୧୦(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମର ଗୁଡା ସାହିର ସୁଶାନ୍ତ ସର୍ଦ୍ଦାର ଏବଂ ତାର ସ୍ତ୍ରୀ ସୁନାଫୁଲ ମୁଣ୍ଡାଙ୍କ ମଧ୍ୟରେ ଗୁରୁବାର ରାତିରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା। ଏଥିରେ ସୁନାଫୁଲ ମୁଣ୍ଡା(୨୪)ଙ୍କ ମୃତ୍ୟୁ ହୋଇଥିଲା।

ଗୋଟିଏ ରାତି ଘର ଭିତରେ ମୃତ ଦେହ ପଡିରହିଥିବା ବେଳେ ସକାଳେ ପଡିଶା ଘର ଲୋକେ ଜାଣି ସୁନାଫୁଲର ବାପ ଘରକୁ ଖବର ଦେଇଥିଲେ। ସୁନାଫୁଲର ଭାଈ ଜଟ ମୁଣ୍ଡା ଏ ନେଇ ସ୍ଥାନୀୟ ଥାନାରେ ଭିଣେଇ ଶୁଶାନ୍ତ ମୁଣ୍ଡା ନାମରେ ଭଉଣୀକୁ ହତ୍ୟା କରାଯାଇଥିବା ଅଭିଯୋଗ  ଆଣିଛନ୍ତି। ଏନେଇ ପଳାଶପଙ୍ଗା ଫାଣ୍ଡି କେଶ ନମ୍ବର ୬୩୫/୨୫ ମାମଲା ରୁଜୁ କରି ଶୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଛି।

ଖବର ମୁତାବକ, ତିନି ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ଏକ ବର୍ଷର ଶିଶୁ କନ୍ୟାଟିଏ ଅଛି। ତେବେ ଉଭୟ ଦମ୍ପତି ମାଦକ ଦ୍ରବ୍ୟ ସେବନ କରନ୍ତି। ମଦ ନିଶାରୁ ଏପରି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।