ଭୁବନେଶ୍ୱର,୧୩/୦୯: ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ ଆଜିକୁ ୭ ଦିନ ହେଲା ନିଖୋଜ ଅଛନ୍ତି । ସେ ଡ୍ୟୁଟିକୁ ଆସି ଆଉ ଘରକୁ ଫେରିନାହାନ୍ତି । ତାଙ୍କୁ କେହି ଅପହରଣ କରି ନେଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଶୁଭମିତ୍ରାଙ୍କୁ ୨୫ ବର୍ଷ । ତାଙ୍କ ପୈତୃକ ଘର ଖୋର୍ଦ୍ଧା ଟାଉନ୍ ପିଚୁକୁଳିରେ । ସେ ସୂର୍ଯ୍ୟନଗରରେ ରୁହନ୍ତି । କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଥିବା ଡିସିପି(ଟ୍ରାଫିକ୍) କାର୍ଯ୍ୟାଳୟର ରିଜର୍ଭ ଅଫିସ(ଆର୍ଓ) ସେକ୍ସନରେ କାମ କରନ୍ତି । ଗତ ୬ ତାରିଖ ସକାଳେ ଶୁଭମିତ୍ରା ଅଫିସ୍ ଆସିଥିଲେ । ଦ୍ୱିପହର ଖାଇବାକୁ ସେ ଅପରାହ୍ଣ ପ୍ରାୟ ୨ଟା ବେଳକୁ ଘରକୁ ଯାନ୍ତି । ସେଦିନ ଘରକୁ ଯାଇନଥିଲେ । କାର୍ଯ୍ୟ ବ୍ୟସ୍ତ ଥିବେ ବୋଲି ପରିବାର ଲୋକ ଭାବିଥିଲେ । କିନ୍ତୁ ସନ୍ଧ୍ୟା ୭ଟା ଯାଏ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଅଫିସ ସହ ଯୋଗାଯୋଗ କରିଥିଲେ । ଅପରାହ୍ଣ ସାଢ଼େ ୧ଟାରେ ଶୁଭମିତ୍ରା ଘରକୁ ଖାଇବାକୁ ଆସିଥିବା ଶୁଣି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ସେହିଦିନ ରାତିରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶୁଭମିତ୍ରାଙ୍କ ଫଟୋ ଓ ସବୁ ଥାନାକୁ ପଠାଇଥିଲା । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ଲୋକସେନ ଟ୍ରାକ କରିପାରୁନି । ନିଖୋଜର ୬ ଦିନ ପରେ ପୁଲିସ ନିଖୋଜ ପୋଷ୍ଟର ମାରିଛି। ଶୁଭମିତ୍ରାଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।