ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ମିଳିବ ମାସିକ ଋତୁସ୍ରାବ କାଳୀନ ଛୁଟି। ମହିଳାମାନଙ୍କୁ ସରକାର ମାସକରେ ଗୋଟିଏ ଦିନ ଦେୟକାଳୀନ ଛୁଟି ପ୍ରଦାନ କରିବେ। ଏନେଇ କର୍ଣ୍ଣାଟକ ସରକାର ଗୁରୁବାର "ମାସିକ ଋତୁସ୍ରାବ ଛୁଟି ନୀତି, ୨୦୨୫" ଉପରେ ମୋହର ମାରିଛନ୍ତି। ଯାହାଦ୍ୱାରା ଆଗକୁ ମହିଳା କର୍ମୀମାନେ ନିଜ ସ୍ୱାସ୍ଥ୍ୟର ବର୍ଦ୍ଧିତ ଯତ୍ନ ନେଇପାରିବେ।

ଏହି ନୂତନ ନୀତି ଅଧିନରେ ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ମାସିକ ଗୋଟିଏ ଦିନ ଦେୟକାଳୀନ ଛୁଟି ପ୍ରଦାନ କରାଯିବ। ଏହି ନୀତି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କପଡା ଶିଳ୍ପ, ବହୁଦେଶୀୟ କମ୍ପାନି, ଆଇଟି ଫାର୍ମ ଓ ଅନ୍ୟ ଘରୋଇ ଉଦ୍ୟୋଗ ଗୁଡିକ ଉପରେ ଲାଗୁ କରାଯିବ। ଏନେଇ ରାଜ୍ୟ ସରକାର ଗୁରୁବାର ଆଧିକାରିକ ସ୍ତରରେ ଘୋଷଣା କରିଛନ୍ତି।

ଏହି ନୂଆ ନୀତିକୁ ୨୦୨୪ ମସିହାରେ ଲାଗୁ କରାଯାଇଥିବା ପୁରୁଣା ନୀତିକୁ ସଂଶୋଧନ କରି ଜାରି କରାଯାଇଛି। ପୁରୁଣା ନୀତି ଅନୁଯାୟୀ ଏହା ମହିଳାମାନଙ୍କୁ ବାର୍ଷିକ ଟି ମାସିକ ଋତୁସ୍ରାବ କାଳିନ ଛୁଟି ପ୍ରଦାନ କରୁଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବାର୍ଷିକ ୧୨ଟି ଛୁଟିକୁ ପରିବର୍ତ୍ତୀତ କରାଯାଇଛି।

ଏନେଇ କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି ଯେ ଆମେମାନେ ମହିଳାମାନହ୍କ ପାଇଁ ନୂଆ ଋତୁସ୍ରାବ କାଳିନ ଛୁଟି ମଞ୍ଜୁର କରିଛୁ। ଯାହା ଆମେ ଆଣିଥିବା ସମସ୍ତ ନୂଆ ନୀତିମାନଙ୍କ ଭିତରେ ସର୍ବୋତ୍ତମ। ଏହାପରଠୁ ମହିଳାମାନେ ବର୍ଷିକ ୧୨ଟି ଛୁଟି ନେଇପାରିବେ। ଏହି ନିୟମ ନମନୀୟ ରହିଛି ଜଣେ ମହିଳା ମାସକୁ ଗୋଟିଏ ଲେଖାଏଁ ଛୁଟି ନେଇପାରିବେ ଅଥବା ଚାହିଁଲେ ଏକ କାଳୀନ ଭାବେ ସମସ୍ତ ଛୁଟି ଏକାସହିତ ନେଇପାରିବେ।

ଆପଣଙ୍କୁ ଜଣାଇରଖୁ ଯେ, କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ନୀତି ବର୍ତ୍ତମାନ ସମଗ୍ର ଭାରତରେ ଆଦୃତି ଲାଭ କରିଛି। ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ କେରଳ, ଶିଳ୍ପ ତାଲିମ ପ୍ରତିଷ୍ଠାନ (ITIs)ରେ ତାଲିମ ନେଉଥିବା ମହିଳା ଟ୍ରେନିମାନଙ୍କୁ ମାସିକ ଦୁଇଟି ଋତୁସ୍ରାବ କାଳିନ ଛୁଟି ମଞ୍ଜୁର କରିଛନ୍ତି। ସେହିଭଳି ବିହାର ଓ ଓଡିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ସରକାରୀ ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ୧୨ ଦିନିଆ ଋତୁସ୍ରାବ କାଳିନ ଛୁଟିକୁ ମଞ୍ଜୁରି ପ୍ରଦାନ କରିଛନ୍ତି।