ଖନ୍ତାପଡ଼ା, ୫/୯ : ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର କୋଠରୀରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣଙ୍କ ହେଲେ ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ସାନ ଝିଅ ସୁଶ୍ରୀ ସଙ୍ଗୀତା(୨୬)।

ସୂଚନା ଅନୁସାରେ, ଆଜି ସକାଳୁ ୧୦ଟା ସମୟରେ ଘରେ ମା’ଙ୍କଠାରୁ ୫ଶହ ଟଙ୍କା ନେଇ ବାରିକପୁର ହାଟକୁ ଯିବେ ବୋଲି କହି ନିଜ ସ୍କୁଟି ଯୋଗେ ଘରୁ ବାହାରି ଆସିଥିଲେ। କିନ୍ତୁ ସଙ୍ଗୀତାଙ୍କ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ବାରିକପୁର ହାଟକୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ସ୍କୁଟି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଉପର ମହଲାକୁ ଆସି ଦେଖିଥିଲେ ତ ବନ୍ଦ କୋଠରୀ ଭିତରେ ବେକରେ ଗାମୁଛା ଗୋଡ଼ାଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ପରିବାର ଲୋକେ ଏହା ଜାଣିପାରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସୋର ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିବା ସହ ପରିବାରର ଅଭିଯୋଗ ଅନୁସାରେ ତାଙ୍କ ଝିଅକୁ କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ଅଧିକ ତଦନ୍ତ ଚଳାଇବା ସହିତ ସାଇଣ୍ଟିଫିକ ଟିମକୁ ଡକାଇ ଅଧିକ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।