ଗଡ଼ମଧୁପୁର, ୧୦/୧୦ : ଭଉଣୀକୁ ଶାଶୁଘର ଛାଡ଼ିବାକୁ ଆସି ଫେରିଲାନି ଭାଇ। ବାଟରେ ମାଡ଼ିଗଲା ବାଉଁଶ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ଜୀବନ। ଅଳ୍ପକେ ବର୍ତ୍ତିଲେ ଭଉଣୀ ଓ ଭାଣିଜୀ। ଚଣ୍ଡିଖୋଲ ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ଚଡେଇଧରା ଛକରେ ଥିବା ଜଗନ୍ନାଥ ଜୀଉ ମହାବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ଛତିଆ ନିକଟସ୍ଥ ଚମ୍ପାପୁର ଗାଁର ଅଲେଖ ଦଲେଇ ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, ଅଲେଖ ଦଲେଇଙ୍କ ଭଉଣୀ କିଛି ଦିନ ପୂର୍ବରୁ ବାପଘରକୁ ବୁଲିବାକୁ ଆସିଥିଲେ। ଆଜି ଶାଶୁଘର ମହିଶରା ଗାଁକୁ ଫେରୁଥିଲେ। ଫେରିବା ବାଟରେ ଚଡେଇଧରା ହାଟରୁ ପରିବା କିଣି ଘରକୁ ଫେରୁଥିଲେ। ଜଗନ୍ନାଥ ଜୀଉ ମହାବିଦ୍ୟାଳୟ ନିକଟରେ ବାଇକ୍‌କୁ ଏକ ବାଉଁଶ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଲେଖ ଦଳେଇଙ୍କ ମୃତ୍ୟୁ ଘଟିଥିଲା। ପଛରେ ବସିଥିବା ଭଉଣୀ ଓ ଭାଣିଜୀ ଛିଟିକି ପଡି ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ତୁରନ୍ତ ଚଡେଇଧରା ଫାଣ୍ଡି ଅଫିସର ଅନିଲ ସାହୁ ଏବଂ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛନ୍ତି। ଅଗ୍ନିଶମ ବାହିନୀ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।