ମାଲକାନଗିରି, ୮/୯(ଆପ୍ର ) : ତୀର ମାଡ଼ରେ ଜଣେ ଯୁବକ ଗୁରୁତର । ମାଲକାନଗିରି ଥାନା ଅନ୍ତର୍ଗତ ନାୟଗୁଡା ପଞ୍ଚାୟତର ପାକନାଗୁଡା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ଜଣକ ହେଉଛି ଲକ୍ଷ୍ମଣ ଗୌଡ। ତାଙ୍କୁ ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ପାଖନାଗୁଡା ଗ୍ରାମର ଲକ୍ଷ୍ମଣ ଗୌଡ ନିଜ ପିଲାଙ୍କୁ ହଷ୍ଟେଲରେ ଛାଡି ଘରକୁ ଫେରୁଥିଲେ। ଗାଁ ମୁଣ୍ଡରେ ଜଗି ରହିଥିବା ବିଶ୍ବନାଥ ଗୌଡ ହଠାତ୍ ଉକ୍ତ ଗ୍ରାମର ଲକ୍ଷ୍ମଣ ଗୌଡ଼ ଉପରକୁ ତୀର ମାରିଥିଲା। ଯାହାଫଳରେ ଲକ୍ଷ୍ମଣଙ୍କ ପେଟରେ ତୀର ଗଳି ଯାଇଥିଲା। ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲକ୍ଷ୍ମଣକୁ ନେଇ ଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ମେଡିକାଲକୁ ପଠାଇଥିଲେ। ଲକ୍ଷ୍ମଣଙ୍କ ପେଟରେ ଗଳି ରହିଥିବା ତୀର ବାହାର କରିବା ପାଇଁ ବଡ଼ ଧରଣର ଅପରେସନ କରିବା ଆବଶ୍ୟକ ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ମାଲକାନଗିରିରେ ଅସ୍ତ୍ରୋପଚାର ବ୍ୟବସ୍ଥା ହୋଇପାରୁ ନଥିବାରୁ ତେଣୁ ତୁରନ୍ତ କୋରାପୁଟ ମେଡିକାଲ କଲେଜକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ତେବେ ଲକ୍ଷ୍ମଣଙ୍କୁ କାହିଁକି ବିଶ୍ବନାଥ ତୀର ମାରିଲେ ତାହାର ସଠିକ କାରଣ ସ୍ପଷ୍ଟ ହୋଇପାରି ନାହିଁ। ମାଲକାନଗିରି ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।