ଭଞ୍ଜନଗର, ୫/୯ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା-କୁଲାଙ୍ଗୀ ଗାଁ ମଧ୍ୟରେ ଥିବା ହାଡ଼ି ମଶାଣି ନିକଟସ୍ଥ ଏକ ବିଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଲାଠିପଡ଼ା ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ପୁଅ ବିଭୁ ପ୍ରସାଦ ସ୍ୱାଇଁ (୨୫ ବର୍ଷ) ବୋଲି ଜଣାପଡ଼ିଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହତ୍ୟା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ, ଲାଠିପଡ଼ା ଗ୍ରାମର ବିଭୁ ପ୍ରସାଦ ସ୍ୱାଇଁ ଗତ ରବିବାର ଠାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ପରିବାର ଲୋକେ ଗତ ୩ ତାରିଖରେ ସୋରଡ଼ା ଥାନାରେ ନିଖୋଜ ଏତଲା ଦେଇଥିଲେ। ଗୁରୁବାର ଜଣେ ଗାଈ ଜଗୁଆଳୀ ବିଲ ମଝିରେ ବିଭୁଙ୍କ ଗଳିତ ମୃତଦେହ ଦେଖି ସୋରଡ଼ା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଭୁକୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ସୋରଡ଼ା ଥାନା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।