ସବୁ ରାଷ୍ଟ୍ରର ଆନ୍ଦୋଳନ ଗୋଟିଏ ସନ୍ଦେଶକୁ ଅଙ୍ଗୁଳି ନିର୍ଦ୍ଦେଶ କରେ ସରକାରଙ୍କୁ ଚେତାବନୀ କ୍ଷମତାରେ ଅଛ, ଡେଲିଭର ଅର୍ ରିଜାଇନ। ଜେନ୍ ଜି ଚାହାଁନ୍ତି ପ୍ରତିଶ୍ରୁତି ନୁହେଁ, କର୍ମତତ୍ପରତା । ଅପେକ୍ଷା କରିବାକୁ ସମୟ ନାହିଁ । ଅର୍ଥାତ୍ ଗଣତନ୍ତ୍ର ନୁହେଁ ୫ବର୍ଷକୁ ଅପେକ୍ଷା କରିବା ଆଉ ଏକ ନିର୍ବାଚନ ହେବାକୁ।
ଏବେ ବିଶ୍ୱର ଅନେକ ରାଷ୍ଟ୍ରରେ ଚାଲିଛି ସରକାର ବିରୋଧୀ ଆନ୍ଦୋଳନ। ଭାରତ ମହାସାଗର ଅଞ୍ଚଳରୁ ଆରମ୍ଭକରି ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର, ଆଣ୍ଡିସ୍ ପର୍ବତମାଳାରୁ ହିମାଳୟ, ଦକ୍ଷିଣ ଆମେରିକାରୁ ଏସିଆ, ନେପାଳରୁ ମାଡାଗାସ୍କର। ମୁଖ୍ୟତଃ ଏହି ଆନ୍ଦୋଳନଗୁଡ଼ିକର ନେତୃତ୍ୱ ନେଉଛନ୍ତି ଜେନ୍ ଜି’ମାନେ, ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ୧୯୯୬ ମସିହାରୁ ୨୦୧୦ ମଧ୍ୟରେ । ଏମାନଙ୍କୁ କୁହାଯାଉଛି ଜେନେରେସନ୍ ଜେଡ୍ ବା ଜେନ୍ ଜି । ସେମାନେ ଜନ୍ମ ହୋଇଛନ୍ତି ଓ ବଢ଼ିଛନ୍ତି ଇଣ୍ଟରନେଟ୍ ସାଥିରେ, ଏମାନେ ପ୍ରଥମ ପିଢ଼ିର ଯୁବସମାଜ । ଏମାନେ ଜନ୍ମ ହେବାବେଳକୁ ଇଣ୍ଟରନେଟ୍ ଆସିସାରିଥିଲା ଆମରି ଦୈନନ୍ଦିନ କାର୍ଯ୍ୟ କରିବା ଭିତରକୁ । ଏମାନେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି ଇଣ୍ଟରନେଟ୍କୁ ।
ପ୍ରଥମ ସଫଳତା ଆଣିଛନ୍ତି ନେପାଳର ଜେନ୍ ଜି’ମାନେ ବା ଏଠାରୁ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ । ଏଠାରେ ଆନ୍ଦୋଳନକୁ ସୂତ୍ରପାତ କରାଇଥିଲା ସୋସିଆଲ ମିଡିଆ ବ୍ୟାନ୍କୁ । ହଜାର ହଜାର ସଂଖ୍ୟାର ଆନ୍ଦୋଳନକାରୀ ଓହ୍ଳାଇ ଆସିଥିଲେ ରାସ୍ତାକୁ । ଧୀରେ ଧୀରେ ଏଥିରେ ଯୋଡ଼ି ହୋଇଯାଇଥିଲା ଅନ୍ତର୍ନିହିତ କାରଣସମୂହ, ଯାହା କୁହୁଳି କୁହୁଳି ଚାଲିଥିଲା ଅଦୃଶ୍ୟରେ ସେମାନଙ୍କ ଅନ୍ତର ଭିତରେ । ଏହା ଥିଲା ସରକାରଙ୍କ ଦୁର୍ନୀତି, ରାଜନୈତିକ ଅସ୍ଥିରତା, ଦେଶ ପରିଚାଳନାରେ ଅପାରଗତା । ବିଗତ ୧୭ବର୍ଷରେ ସେଠାରେ ବଦଳିଛି ୧୫ଟି ସରକାର । ଗୋଟିକ ପରେ ଗୋଟିଏ ବିଫଳ ସରକାର। ସାଧାରଣବର୍ଗ ନିଯୁକ୍ତିହୀନତା, ଦାରିଦ୍ର୍ୟରେ ସଢ଼ୁଥିବାବେଳେ ସରକାରୀ ନେତୃବଣ୍ଡଳୀ, ଉଚ୍ଚ ପଦବିରେ ଅବସ୍ଥାପିତ ସରକାରୀ କର୍ମଚାରୀଙ୍କ ପିଲାମାନେ ବିତାଉଥିଲେ ଅତ୍ୟନ୍ତ ବିଳାସମୟ ଜୀବନ । କେଉଁ ସରକାର କ୍ଷମତା ଉପଭୋଗ ପାଇଁ ସମ୍ବିଧାନ ପରିବର୍ତ୍ତନ କରୁଥିଲା ତ, କେହି ସଂଖ୍ୟାଗରିଷ୍ଠତା ହାସଲ କରିନପାରି କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ମେଣ୍ଟ ସରକାର ଗଠନ କରି ଜନତାକୁ ଶୋଷଣ କରିଚାଲିଥିଲା । କେହି ରାଜତନ୍ତ୍ର ଚାହୁଁଥିଲା ତ, କିଏ କମ୍ୟୁନିଷ୍ଟ ଶାସନ ଓ ଆଉ କିଏ ନାମକୁ ମାତ୍ର ଗଣତନ୍ତ୍ର । ଆନ୍ଦୋଳନ ଆରମ୍ଭ ହେଲାବେଳକୁ ସରକାର ବ୍ୟାନ୍ କରିଦେଲେ ସୋସିଆଲ ମିଡିଆକୁ, ହଟାଇଦେଲେ ଇଣ୍ଟରନେଟ ବ୍ୟବହାରକୁ । ଫଳରେ ଉତ୍ତ୍ୟକ୍ତ ଜେନ୍ ଜି ବେଶି ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇ ପଡ଼ିଲେ । ନେତା, ମନ୍ତ୍ରୀଙ୍କୁ ପିଟିବା ଆରମ୍ଭ କରିଦେଲେ । ଶେଷରେ ସରକାର ବାଧ୍ୟହୋଇ କ୍ଷମତାରୁ ଓହରିଗଲେ । ଏବେ ସେଠାରେ ପୂର୍ବତନ ସୁପ୍ରିମକୋର୍ଟର ମହିଳା ମୁଖ୍ୟ ବିଚାରପତି ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ । ସେ ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ କରାଇ ଶାସନ ପ୍ରତିଷ୍ଠା କରିବାକୁ ସଂକଳ୍ପବଦ୍ଧ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ମଧ୍ୟରେ ।
ଏଠାରେ ଉଲ୍ଲେଖନୀୟ, ନେପାଳ ଛାଡ଼ି ପ୍ରାୟ ୮ଲକ୍ଷ ଅଧିବାସୀ ଅନ୍ୟ ଦେଶକୁ ଚାଲିଯାଉଛନ୍ତି ରୋଜଗାର ଆଶାରେ । ସେହିପରି ଏକ ରାଷ୍ଟ୍ର ପେରୁ । ଦକ୍ଷିଣ ଆମେରିକୀୟ ରାଷ୍ଟ୍ର । ଲୋକସଂଖ୍ୟା ୩.୪୨ କୋଟି । ଉଚ୍ଚ ଓ ମଧ୍ୟମ ରୋଜଗାର ଗୋଷ୍ଠୀ ଏହାର ଜନତା । କିନ୍ତୁ ୧୦ରୁ ୭ଜଣ ଗରିବ ଅବା ଯେକୌଣସି ସାମାନ୍ୟ ଆର୍ଥିକ ପରିସ୍ଥିତିରେ ଏମାନେ ଠେଲି ହୋଇଯାଇପାରନ୍ତି ଦାରିଦ୍ର୍ୟ ଭିତରକୁ । ସେଠାରେ ଆରମ୍ଭ ହୋଇଯାଇଛି ଜେନ୍ ଜି’ଙ୍କ ଆନ୍ଦୋଳନ ଏକ ବିବାଦୀୟ ପେନସନ ଆଇନକୁ ନେଇ । ଆଇନଟି ହେଲା- ୧୮ବର୍ଷରୁ ଊଦ୍ଧ୍ୱର୍ ସମସ୍ତେ, ଏପରିକି ଯେଉଁମାନେ ଅତ୍ୟଧିକ ନିଯୁକ୍ତିସଂପନ୍ନ କର୍ମକ୍ଷେତ୍ର, ଯେପରିକି ସର୍ଭିସ୍ ଇତ୍ୟାଦିରେ ନିଯୁକ୍ତ ପେନସନ ଫଣ୍ଡକୁ ରୋଜଗାରରୁ କିଛି ଅଂଶ ଦାନ କରିବେ । ଫଳରେ ଆରମ୍ଭ ହୋଇଗଲା ଦେଶତମାମ ହରତାଳ । ରାଜଧାନୀ ଲିମାରେ ଗଣଆନ୍ଦୋଳନ । ଗୁଳିକାଣ୍ଡରେ ଜଣେ ପ୍ରାଣ ହରାଇଲା । ଏପରି ସ୍ତରକୁ ଚାଲିଗଲା ଆନ୍ଦୋଳନ ଯେ ସରକାର କ୍ଷମତାରୁ ଓହରିଗଲେ, ରାଷ୍ଟ୍ରପତି ଇସ୍ତଫା ଦେଲେ । ଧୀରେ ଧୀରେ ଭିତିରି କାରଣଗୁଡ଼ିକ ଜଣାପଡ଼ିଲା । ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି, ମୁଦ୍ରାସ୍ଫୀତି, ଅପରାଧ ବୃଦ୍ଧି, ଆର୍ଥିକ ଅସୁରକ୍ଷା । ଏବେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନିଯୁକ୍ତି ପରେ ବି କମିବାରେ ନାଁ ଧରୁନି ଜେନ୍ ଜି’ଙ୍କ ଆନ୍ଦୋଳନ । ପୂର୍ବ-ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କର । ଏକ ଦ୍ୱୀପାଞ୍ଚଳ ରାଷ୍ଟ୍ର ଭାରତ ମହାସାଗର ଭିତରେ । ଲୋକସଂଖ୍ୟା ୩.୨କୋଟି । ଏହା ଏକ ଦରିଦ୍ର ରାଷ୍ଟ୍ର । ଗତମାସ ୨୫ ତାରିଖରୁ ଆରମ୍ଭ ଏଇ ଆନ୍ଦୋଳନ । ବାରମ୍ବାର ଜଳଯୋଗାଣ ବନ୍ଦ ଓ ଇଲେକଟ୍ରିକ ସପ୍ଲାଇ କଟ୍ ୧୨ଘଣ୍ଟା ପର୍ଯ୍ୟନ୍ତ ହେଇଛି ଏହି ସରକାର ବିରୋଧୀ ଆନ୍ଦୋଳନ । ରାଜଧାନୀ ଆଣ୍ଟାନାନାରିବୋରୁ ଆରମ୍ଭ ହୋଇ ଅନ୍ୟ ସହରଗୁଡ଼ିକୁ ବ୍ୟାପିଗଲା ଏହି ଆନ୍ଦୋଳନ । ୭୨ଜଣ ଆନ୍ଦୋଳନକାରୀ ପୁଲିସ ଗୁଳିରେ ମୃତ୍ୟୁବରଣ କଲେ । ଆନ୍ଦୋଳନ ତୀବ୍ର ହେଇଉଠିଲା । ପ୍ରଥମେ ଏଜର୍ନି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା । ପରେ ଆନ୍ଦୋଳନକୁ ଦବାଇ ଦବାକୁ ଅସମର୍ଥ ରାଷ୍ଟ୍ରପତି, ସରକାର ଭାଙ୍ଗିଦେଲେ । ତାହାପରେ ଜେନଜ ଜି’ଙ୍କୁ ସମର୍ଥନ କରି ଦେଶର ଆର୍ମି କ୍ଷମତା ଅକ୍ତିଆର କରିନେଲେ ଓ ରାଷ୍ଟ୍ରପତି ପଳାୟନ କଲେ । ଭିତିରି କାରଣ ହେଲା- ନେତା ଓ କ୍ଷମତାସୀନ ଅଧିକାରୀଙ୍କ ଗୃହରେ ଜଳ ଓ ବିଦ୍ୟୁତ ନିରବଚ୍ଛିନ୍ନ ଭାବେ ଥିବାବେଳେ ଓ ସେମାନେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଶୈଳୀ ଆପଣାଇଥିବାବେଳେ, ସାଧାରଣ ଲୋକ ସବୁଥିରୁ ବଞ୍ଚିତ ଓ ଦୁର୍ନୀତି ମଧ୍ୟ ଅତି ଉଚ୍ଚସ୍ତରକୁ ଚାଲିଯାଇଛି । ରାଷ୍ଟ୍ରପତି ଏବେ ଫ୍ରାନ୍ସରେ ଅଛନ୍ତି ବୋଲି କୁହାଯାଉଛି ଓ ସାଧାରଣବର୍ଗଙ୍କ କହିବା କଥା ହେଲା, ଏହି ଜେନ୍ ଜି’ଙ୍କ ଆନ୍ଦୋଳନ ଆମକୁ ବିଜୟ ପ୍ରଦାନ କରିଛି ।
ସେହିପରି ଉତ୍ତର-ଆଫ୍ରିକୀୟ ରାଷ୍ଟ୍ର ମରକ୍କୋ । ଲୋକସଂଖ୍ୟା ପାଖାପାଖି ୪କୋଟି । ଭୂମଧ୍ୟସାଗର ଓ ଆଟଲାଣ୍ଟିକ ମହାସାଗର କୂଳବର୍ତ୍ତୀ ଏଇ ଦେଶ । ଏଠାରେ ଆନ୍ଦୋଳନ କରିଛନ୍ତି ଜେନ୍ ଜି ୨୧୨ । ୨୧୨ ହେଲା ମରକ୍କୋର ଫୋନ୍ କୋଡ୍ । ଏମାନଙ୍କର ଦାବି ହେଲା ଶିକ୍ଷାର ରିଫର୍ମ ଓ ଉନ୍ନତ ଧରଣର ହେଲ୍ଥ କେୟାର ଫେସିଲିଟି । ତା’ ସହିତ ଯୁବାବର୍ଗଙ୍କ ନିଯୁକ୍ତିହୀନତା, ପୁଲିସ ବର୍ବରତା । ହଠାତ୍ ଆନ୍ଦୋଳନ ଆରମ୍ଭ ହେଇଯିବାର କାରଣ ହେଲା- ଏଇ ସେପ୍ଟେମ୍ବରରେ ଆଗାଦିର ନାମକ ଏକ ସହରରେ ୮ଜଣ ମହିଳାଙ୍କର ପ୍ରସବଜନିତ ମୃତ୍ୟୁ ଘଟିଲା ଏକ ସରକାରୀ ଡାକ୍ତରଖାନାରେ । ଏହା ସୂଚିତ କଲା କେତେ ବିପଜ୍ଜନକ ଏଇ ସରକାରୀ ହସପିଟାଲ ଓ କେତେ ଅସୁରକ୍ଷିତ ଗର୍ଭବତୀ ମହିଳା । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ, ୧୦ହଜାର ଜନସଂଖ୍ୟାରେ ଡାକ୍ତରଙ୍କର ସଂଖ୍ୟା ମାତ୍ର ୭ ଓ ସେହି ଆଗାଦିର ସହରରେ ମାତ୍ର ୪ । ଏହି ରାଷ୍ଟ୍ର ନିଜ ଜିଡିପିର ୩୮% ଖର୍ଚ୍ଚ କରିଛି ଇନଫ୍ରାଷ୍ଟ୍ରକ୍ଚର ନିର୍ମାଣରେ, ଅଥଚ ଅତ୍ୟନ୍ତ ଦୟନୀୟ ସ୍ୱାସ୍ଥ୍ୟ ଓ ଶିକ୍ଷାସେବା । ଏହି ଆନ୍ଦୋଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି, ଯଦିଓ କେହି ନେତୃତ୍ୱ ନେବାକୁ ନେତା ନାହାଁନ୍ତି । ଏହା ସରକାର ବିରୋଧୀ ତୀବ୍ର ଆନ୍ଦୋଳନ ସରକାରଙ୍କୁ ବାଧ୍ୟ କରିବାକୁ- ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଖର୍ଚ୍ଚକୁ ବୃଦ୍ଧି କରନ୍ତୁ, କେବଳ ନିର୍ମାଣରେ କର୍ଚ୍ଚ କରି ଚୁପ୍ ରହିଗଲେ ଏପରି ଯୁବାବର୍ଗ ଆନ୍ଦୋଳନ କରିଚାଲିବେ । ଏପରିକି ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକରେ ମୁଣ୍ଡଟେକିଛି ଏହି ଜେନ୍ ଜି ଆନ୍ଦୋଳନ ।
ଫିଲିପାଇନ୍ସରେ ଆରମ୍ଭ ହୋଇଛି ଦୁର୍ନୀତି ବିରୋଧୀ ଆନ୍ଦୋଳନ । ଏଇ ସେପ୍ଟେମ୍ବର ୨୧ରେ ଆରମ୍ଭ ହୋଇଗଲା ଗୋଟିକ ପରେ ଗୋଟିଏ ପ୍ରୋଟେଷ୍ଟ । ଏହାକୁ କୁହାଯାଇଛି ଟ୍ରିଲିୟନ ପେସୋ ମାର୍ଚ୍ଚ । ଏହାକୁ କରିଛନ୍ତି ସେଠାରେ ସକ୍ରିୟ ଚର୍ଚ୍ଚ ଗ୍ରୁପ୍ସ, ସିଭିଲ ସୋସାଇଟି ସଂଗଠନ, ଛାତ୍ରଗୋଷ୍ଠୀ, ଲେବର ୟୁନିଅନ । କାରଣ ହେଲାସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି, ବନ୍ୟା ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ଇନଫ୍ରାଷ୍ଟ୍ରକଚର ନିର୍ମାଣରେ । ରିପୋର୍ଟ ଅନୁସାରେ, ଗତ ୧୫ବର୍ଷ ଭିତରେ ୩୩ ବିଲିଅନ ଡଲାର ଖର୍ଚ୍ଚ ହୋଇଥିବା ସ୍ଥଳେ ଦୁର୍ନୀତି ଯୋଗୁଁ କାର୍ଯ୍ୟ ହେଇଛି ମାତ୍ର ଅଧେ ଅର୍ଥରେ । ଜେନ୍ ଜି’ଙ୍କ ଦାବି ହେଲା- ଅର୍ଥ ଖର୍ଚ୍ଚରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ସରକାରୀ ଖର୍ଚ୍ଚରେ ଏହି ପ୍ରୋଟେଷ୍ଟ ସବୁକୁ ଉସୁକାଇଛି ଅନ୍ୟ ଦେଶର ଜେନ୍ ଜି ପ୍ରୋଟେଷ୍ଟ । ଆଉ ଏକ ଦକ୍ଷିଣ-ପୂର୍ବ ରାଷ୍ଟ୍ରରେ ଆନ୍ଦୋଳନ ଅନ୍ୟ ଏକ କାରଣରୁ । ଇଣ୍ଡୋନେସିଆରେ ଆନ୍ଦୋଳନ କଷ୍ଟ ଅଫ୍ ଲିଭିଂ ବା ଦୈନନ୍ଦିନ ଜୀବନ ଯାପନର ଖର୍ଚ୍ଚ ବୃଦ୍ଧି ଚାଲିଛି ନିୟନ୍ତ୍ରଣବିହୀନ ହୋଇ । ସରକାର ନିୟନ୍ତ୍ରଣ ହରାଇ ବସିଛନ୍ତି ଏହାରି ଉପରେ । ସାଧାରଣବର୍ଗ ଅସହାୟ ହୋଇ ଚାହିଁରହିଛନ୍ତି, ବଞ୍ଚିବା କଷ୍ଟସାଧ୍ୟ ହୋଇପଡ଼ୁଛି ଦିନକୁ ଦିନ । ଗୋଟିଏ କ୍ଷୁଦ୍ର ପରିବାର ଚଳିବା ପାଇଁ ମାସିକ ଖର୍ଚ୍ଚ ପ୍ରାୟ ତିନିହଜାର ଡଲାରରୁ ଅଧିକ ବା ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା । ହାଉସିଂ ଖର୍ଚ୍ଚ, ଗମନାଗମନ ଖର୍ଚ୍ଚ, ଖାଦ୍ୟଦ୍ରବ୍ୟର ଦରବୃଦ୍ଧି । ଗୋଟିଏ ବିଦ୍ୟାର୍ଥୀର ମାସିକ ଖର୍ଚ୍ଚ ୩୫ରୁ ୫୦ହଜାର ଟଙ୍କା । ତେଣୁ ଅସନ୍ତୁଷ୍ଟ ବୃଦ୍ଧି ହିଁ ଡାକିଆଣିଛି ଏଇ ଜେନ୍ ଜି’ଙ୍କ ପ୍ରୋଟେଷ୍ଟ । ଏହିସବୁ ଆନ୍ଦୋଳନ ସୂଚାଉଛି, କାହିଁକି ଏହି ଜେନ୍ ଜି’ବର୍ଗ କ୍ରୁଦ୍ଧ ହେଇପଡ଼ିଛନ୍ତି । ଏହି ଜୀବନଯାପନ ଖର୍ଚ୍ଚକୁ ଟିକିଏ ଗଭୀର ଭାବରେ ବିଶ୍ଳେଷଣ କଲେ ଜଣାଯାଏ ଏହି ଗ୍ଲୋବାଲ ଇନଫ୍ଲେସନ ବା ବିଶ୍ୱସ୍ତରୀୟ ମୁଦ୍ରାସ୍ପୀତି ୨୦୨୨ରେ ଦୀର୍ଘ ୩୦ବର୍ଷ ଭିତରେ ସବୁଠୁ ଅଧିକ ବୃଦ୍ଧି ଘଟିଛି । ଅର୍ଥାତ୍ ଜଣେ ନୂତନ ନିଯୁକ୍ତି ପାଇଥିବା ଜେନ୍ ଜି ନିଜେ ଚଳି ନିଜ ପରିବାରକୁ ଚଳାଇବା କଷ୍ଟକର ହୋଇପଡ଼ିଛି । ଏମାନେ ଦେଖୁଛନ୍ତି ଜଣେ ଧନୀ ବ୍ୟକ୍ତି ଅଧିକ ଧନୀ ହେଇଚାଲିଛି । ୨୦୨୦ରୁ ଏଯାବତ୍ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଛି ୪୨ ଟ୍ରିଲିଅନ ଡଲାରର ସଂପତ୍ତି । ଜନସଂଖ୍ୟାର ମାତ୍ର ଏକ-ପ୍ରତିଶତ ଥିବା ଧନାଢ୍ୟ ବ୍ୟକ୍ତିଙ୍କ ପାଖକୁ ଯାଇଛି ଏହି ସଂପତ୍ତିର ଦୁଇ-ତୃତୀୟାଂଶ । ଏହି ଗ୍ୟାପକୁ ଆହୁରି ପ୍ରସାରିତ କରିଦେଇଛି ଏ.ଆଇ. ଓ ଟେକ୍ନୋଲଜି । ଦ୍ୱିତୀୟ କାରଣଟି ହେଲା, ଟେକ୍ନୋଲଜି । ଏପରିକି ଗେମିଂ ପ୍ଲାଟଫର୍ମ । ସବୁ ରାଷ୍ଟ୍ରର ଆନ୍ଦୋଳନକାରୀ ବ୍ୟବହାର କରୁଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଏପରି ହେଇଥିଲା ଆରବ ସ୍ପ୍ରିଂ ବା ଆରବ ଆଲୋଡ଼ନ ସମୟରେ । ଯେବେ ଗୋଟିଏ ରାଷ୍ଟ୍ରର ଜେନ ଜି’ଙ୍କ ଆନ୍ଦୋଳନ ସଫଳ ହେଲା, ସେଥିରୁ ଉତ୍ସାହିତ ହେଲେ ଅନ୍ୟ ରାଷ୍ଟ୍ରର ଜେନ୍ ଜି’ମାନେ । ଏହାକୁ ସ୍ୱୀକାର କରିଛନ୍ତି ମାଡାଗାସ୍କରର ଜେନ୍ ଜି’ମାନେ । ସେମାନେ ଉତ୍ସାହିତ ହେଇଛନ୍ତି ନେପାଳର ସଫଳତାରୁ । ସୋସିଆଲ ମିଡିଆ ମୁହୂର୍ତ୍ତକ ଭିତରେ ଏସବୁ ଘଟଣାକୁ ଏକ-ସେକେଣ୍ଡ ମଧ୍ୟରେ ପ୍ରସାରିତ କରିଦେଉଛି ସମଗ୍ର ବିଶ୍ୱର ରାଷ୍ଟ୍ରଗୁଡ଼ିକରେ । ସବୁ ରାଷ୍ଟ୍ରର ଆନ୍ଦୋଳନ ଗୋଟିଏ ସନ୍ଦେଶକୁ ଅଙ୍ଗୁଳି ନିର୍ଦ୍ଦେଶ କରେ ସରକାରଙ୍କୁ ଚେତାବନୀ- କ୍ଷମତାରେ ଅଛ, ଡେଲିଭର ଅର୍ ରିଜାଇନ ।
ଜେନ୍ ଜି ଚାହାଁନ୍ତି ପ୍ରତିଶ୍ରୁତି ନୁହେଁ, କର୍ମତତ୍ପରତା । ଅପେକ୍ଷା କରିବାକୁ ସମୟ ନାହିଁ । ଅର୍ଥାତ୍ ଗଣତନ୍ତ୍ର ନୁହେଁ ୫ବର୍ଷକୁ ଅପେକ୍ଷା କରିବା ଆଉ ଏକ ନିର୍ବାଚନ ହେବାକୁ । ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି ନେପାଳରେ, ମାଡାଗାସ୍କରରେ, ପେରୁରେ । ଜେନ୍ ଜି’ଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୨୫ ପ୍ରତିଶତ । ସେମାନେ କ୍ରୁଦ୍ଧ । ଫାୟାରିଂ କରି ସେମାନଙ୍କ ସ୍ୱରକୁ ଦବାଇ ସମ୍ଭବ ନୁହେଁ । ସେମାନଙ୍କ ସ୍ୱରକୁ ଉପେକ୍ଷା କରିବା ଅର୍ଥ, ନିଜ କ୍ଷମତାରୁ ଅପସରି ଯିବା । ଏକଥା ସ୍ପଷ୍ଟ ଏକଦମ୍ ଦିବାଲୋକ ପରି । ଏହି ଜେନ୍ ଜି’ଙ୍କ ଆନ୍ଦୋଳନ ଏହି ବାର୍ତ୍ତା ହିଁ ଦିଏ ଦୁର୍ନୀତିଗ୍ରସ୍ତ ଓ କ୍ଷମତାର ଅପବ୍ୟବହାର କରୁଥିବା ସରକାରଗୁଡ଼ିକୁ ।