ଭୁବନେଶ୍ୱର/କେନ୍ଦୁଝର, ୧।୯  : କେନ୍ଦୁଝରଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଜିରୋ ଆକ୍ସିଡେଣ୍ଟ ଡେ ବା ଶୂନ ଦୁର୍ଘଟଣା ଦିବସ ଅଭିଯାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିଥିଲେ। ଏଥିସହ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ  କରିବା ସହ ସିଂଗନେଚର କ୍ୟାମ୍ପେନକୁ ଉଦ୍ଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ। ଏଥି ପ୍ରତି ସଚେତନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ବ। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି। ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ  ଏପରିକି ଘରେ ଘରେ ପହଞ୍ଚାଇବା। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା। ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଏସବୁ ଦୁର୍ଘଟଣାରୁ ବଞ୍ଚେଇ ପାରିବ।

କେନ୍ଦୁଝର ଜିଲ୍ଲା ହେଉଛି ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ। ଏଠାରୁ ପ୍ରତିଦିନ ସହସ୍ର ସଂଖ୍ୟକ ଟ୍ରକ୍, ଲୋଡର୍, ଭାରୀ ଯାନବାହାନ ଯାତାୟାତ କରୁଛି । ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି, କିନ୍ତୁ ଏହା ସହିତ ସଡ଼କ ସୁରକ୍ଷା ପାଇଁ ଏକ ବିଶେଷ ଚାଲେଞ୍ଜ ମଧ୍ୟ ହୋଇ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟତ ସମୟରେ ସଡକ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ସେ ପୁଣି କହିଥିଲେ ଯେ ଶୂନ ଦୁର୍ଘଟଣା ଦିବସ ପାଳନ କରୁଛେ। ଏହା ଏପରି ଏକ ପଦକ୍ଷେପ ଯାହା ଆମର ସାମୂହିକ ଦାୟିତ୍ବ କୁ  ପ୍ରଦର୍ଶନ କରୁଛି। ଖଣି ଓ ଶିଳ୍ପ କ୍ଷେତ୍ର ସହିତ ସଂଲଗ୍ନ ସମସ୍ତ କମ୍ପାନୀ, ଡ୍ରାଇଭର୍, କର୍ମଚାରୀ ମାନଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଅନ୍ତୁ । ଭାରୀ ଯାନବାହାନ ଗୁଡିକର ନିୟମିତ ମେଣ୍ଟେନାନ୍‍ସ, ଡ୍ରାଇଭର ମାନଙ୍କୁ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଅନ୍ତୁ। ଏହି ସବୁକିଛିକୁ କଡ଼ାକଡ଼ି ଭାବରେ ପାଳନ କରିଲେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ।

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାୟକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୋଲିସ ଡ଼ିଜି ଯୋଗେଶ ବହାଦୁର ଖୁରାନିଆ, ଏସଟିଏ କମିଶନର ଅମିତାଭ ଠାକୁରଡ଼ି.ଆଇ.ଜି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ଶୂନ୍ୟ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି। ଆଇଆଇଟି ମାଡ୍ରାସ ସହାୟତାରେ କେନ୍ଦୁଝରରେ ଏଥି ନିମନ୍ତେ ଏକ ୧୪-ଦିନିଆ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଆଇଆଇଟି ମାଡ୍ରାସ ଦୁର୍ଘଟଣାକୁ କିପରି ପ୍ରତିହତ କରି ହେବ ସେଥିପାଇଁ ମାର୍ଗଦର୍ଶନ କରିବ।