ପୁରୀ,୦୯/୧୧: ଚାଳି ପଥରରେ ଫାଟ ମେଲିମେଲି ଚାଲିଛି । ଜଳଜଳ ଦିଶୁଛି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ଫାଟ ।  ସଂରକ୍ଷଣ ଓ ମରାମତି କରାଯାଉ ନ ଥିବାରୁ ମୂଷା ଗୁମୁଟ ମଝିରୁ ତଳ ପର୍ଯ୍ୟନ୍ତ ମାଟି ଗାଳି ଦେଲାଣି । ପଥର ଗଳିବା ସ୍ଥିତିରେ ରହିଛି ।  ଝୁଲି ରହିଥିବା ପଥରକୁ ଗ୍ରାଉଟିଂ କିମ୍ବା ଜଏଣ୍ଟ  ସିଲିଂ କରାଯାଉନି । ଶ୍ରୀମନ୍ଦିର ଉତ୍ତର ଦ୍ୱାର  ଗୁମୁଟ ବାହାର ପାର୍ଶ୍ୱର ଏଭଳି ଅବସ୍ଥାକୁ  ନେଇ ଶ୍ରଦ୍ଧାଳୁ ଓ ବରିଷ୍ଠ ସେବାୟତ ଚିନ୍ତାବ୍ୟକ୍ତ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାରେ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଅବହେଳା  କରୁଛନ୍ତି ବୋଲି ବରିଷ୍ଠ ସେବାୟତମାନେ  ଅଭିଯୋଗ କରିଛନ୍ତି ।

ଉତ୍ତର ଦ୍ୱାର ଗୁମୁଟ ଉପର ପାଶ୍ୱର୍  ସଂରକ୍ଷଣ ଅଭାବରୁ ଏହା ଭିତରେ ପାଣି  ଝରୁଛି । ଚୂନ ପ୍ଲାଷ୍ଟର ଛାଡି ପଡ଼ୁଛି । ଗୁମୁଟ  ଉପର ପାଶ୍ୱର୍ରେ ପାଣି ଅନବରତ ଲିକେଜ୍‌  ହେବା ଓ ଆନନ୍ଦ ବଜାର ପାଶ୍ୱର୍ରୁ ବର୍ଜ୍ୟଜଳ  ମାଡ଼ ହେବା ଯୋଗୁ ଗୁମୁଟ ଭିତର କାନ୍ଥ, ଛାତ  ଓ ଚଟାଣ ଓଦା ରହୁଛି । ଅନ୍ୟପଟେ ଉତ୍ତର  ଦ୍ୱାର ଗୁମୁଟ ବାହାର ଦୁଇପାର୍ଶ୍ବ ଅବସ୍ଥା ସଂଗୀନ ହୋଇପଡ଼ିଲାଣି । ସଂରକ୍ଷଣ ଲାଗି ପଥର ମନ୍ଦିରରେ  ଇଟା, ସିମେଣ୍ଟ ଯୋଡେଇ କରାଯାଉଛି । ନଷ୍ଟ ହୋଇଯାଉଥିବା ପଥର  ସ୍ଥାନରେ ନୂଆ ପଥର ବ୍ୟବହାର ନକରି ଏଠାରେ ଇଟା ଯୋଡେଇ କରାଯିବାକୁ ନେଇ ଅନେକ ନାପସନ୍ଦ କରୁଛନ୍ତି ।  ଉତ୍ତର ଦ୍ୱାର ଗୁମୁଟ ତଳ ପାଶ୍ୱର୍ ଚାଳିରେ ଏହି ଫାଟ, ଇଟା  ପ୍ଲାଷ୍ଟର, ପଥର ଝୁଲି ରହିବା ଓ ମୂଷା ମାଟି ଗାଳିଦେଲାଣି । ଗୁମୁଟ  ତଳେ ଓ ଉପରେ ରହିଥିବା ପାଚୀନ ମୂର୍ତ୍ତି ଦେହରେ କଣା କରି  ନଟବୋଲ୍ଟ ଫିଟିଂ କରାଯିବା ସହ ବିଭିନ୍ନ ତାର ୱାରିଂ କରାଯାଇ  ମୂର୍ତ୍ତିର ସୁରକ୍ଷା କରାଯାଇଛି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

ଅନେକଙ୍କ କହିବା କଥା ପରିକ୍ରମା ମାର୍ଗ ନିର୍ମାଣ ନିମନ୍ତେ  ହୋଇଥିବା ଖୋଲାତାଡ଼ ଯୋଗୁ ମେଘନାଦ ପାଚେରି ସମେତ  ଚାରିଦ୍ୱାର ଗୁମୁଟ ଉପରେ ଏହାର କୁପ୍ରଭାବ ପଡ଼ିଛି । ଅନ୍ୟପଟେ ମେଘନାଦ ପାଚେରି ହେଉ ବା ଗୁମୁଟ ଏଠାରେ ଦେଖାଦେଉଥିବା  ଫାଟ, ଝୁଲି ରହିଥିବା ପଥରଗୁଡ଼ିକର ତୁରନ୍ତ ମରାମତିକୁ ଦୃଷ୍ଟି  ଦିଆଯାଉନି । ଶ୍ରୀମନ୍ଦିରରେ ମୂଷା ଉତ୍ପାତ କଲେଣି । ତୁରନ୍ତ ଶ୍ରୀମନ୍ଦିର  ୪ ଦ୍ୱାର ଏହା ସଂଲଗ୍ନ ବାହାର ଗୁମୁଟର ସୁରକ୍ଷା ନିମନ୍ତେ ପଦକ୍ଷେପ  ନିଆଯାଉ । ଏନେଇ ଏଏସ୍‌ଆଇ ଜଣେ ଅଧିକାରୀ କହିଛନ୍ତି, ବାହାର  ଚାଳିରେ ଫାଟ କଥା ସୂଚନା ରହିଛି । ଭିତରେ ପାଣି ଝରୁଥିବା  ଏବଂ ଓଦା ରହୁଥିବା ମଧ୍ୟ ନଜର ଆସିଛି । ଏହାକୁ ସ୍ଥାୟୀ ମରାମତି  କରାଯିବ । ତେବେ ଯାହା ହେବ ରତ୍ନଭଣ୍ଡାର ମରାମତି ପରେ ହେବ ।