ନୂଆଦିଲ୍ଲୀ ୧୬/୧୨: ଅଧିକାଂଶ ଲୋକେ ଦିନର ଆରମ୍ଭ ଏକ କପ୍ ଗରମ ଚା’ ସହିତ କରିଥାନ୍ତି । ଚା’ ପିଇବାର ଆମ ସଂସ୍କୃତିରେ ଏକ ଖାସ୍ ମହତ୍ତ୍ୱ ରହିଛି । ଆମ ଦେଶରେ କପେ ଚା’ର ଦାମ୍ ୧୦- ୨୦ ଟଙ୍କାରୁ ଆରମ୍ଭ ହୋଇଥାଏ । ପଞ୍ଚତାରକା ହୋଟେଲରେ ଏହାର ଦାମ୍ ୫୦୦-୭୦୦ ଟଙ୍କା ଯାଏ ବି ରହିଥାଏ । ତେବେ ଦୁବାଇରେ ଏମିରେଟ୍ସ ଫାଇନାନ୍ସିଆଲ୍ ଟାୱାରରେ ଥିବା ଏକ ରେସ୍ତୋରାଁ ବୋହୋ କାଫେରେ ଏକ କପ୍ ଚା’ର ଦାମ୍ ୧.୧୪ ଲକ୍ଷ ଟଙ୍କା ରହିଛି । ସେହି ରେସ୍ତୋରାଁର ମାଲିକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ସୁଚେତା ଶର୍ମା । ସେ ତାଙ୍କ ଗ୍ରାହକମାନଙ୍କୁ ରୂପା କପ୍ରେ ୨୪ କ୍ୟାରେଟ୍ ସୁନା ପତ୍ର ପକାଇ ଏହି ସ୍ୱତନ୍ତ୍ର ଚା’କୁ ପରଷିଥାନ୍ତି ।

ଏହି ଚା’ ବ୍ୟତୀତ ସେଠାରେ ଗୋଲ୍ଡ ସୋଭିନିୟର କଫି ମଧ୍ୟ ଉପଲବ୍ଧ । ତା’ର ଦାମ୍ ୧.୦୪ ଲକ୍ଷ ହୋଇଥିବାବେଳେ ତାକୁ ରୂପା କପ୍ରେ ପରଷାଯାଏ । ସବୁଠୁ ବଡ଼ କଥା ହେଲା ଗ୍ରାହକମାନେ ସେହି କପ୍କୁ ଚାହିଁଲେ ଘରକୁ ମଧ୍ୟ ନେଇପାରିବେ । କାଫେର ମାଲିକ ସୁଚେତା ଶର୍ମା କହିଛନ୍ତି, ଆମେ ବିଳାସ ଚାହୁଁଥିବା ଲୋକଙ୍କ ଲାଗି କିଛି ନିଆରା କରିବାକୁ ଚାହୁଁଥିଲୁ, ସେଥିରୁ ଏହି ପରିକଳ୍ପନାର ଆରମ୍ଭ । ନିକଟରେ ଜଣେ ଫୁଡ୍ ବ୍ଲଗର ରେସ୍ତୋରାଁରେ ସୁନା ଚା’, କଫି ପରଷାଯିବାର ଏକ ଭିଡିଓକୁ ସେୟାର କରିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଲୋକମାନେ ତାକୁ ନେଇ ଅଜବ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏଥର ଚା’ ପିଇବାକୁ ହେଲେ ଇଏମ୍ଆଇ ଦେବାକୁ ପଡ଼ିବ ବୋଲି ଲେଖିଛନ୍ତି ।