ଧର୍ମଶାଳା, ୨।୮ : ପୁଣି ଅଲୋଡ଼ା ଶିଶୁ। ରାସ୍ତା କଡ଼ରୁ ଉଦ୍ଧାର ହେଲା ନବଜାତକର ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ଦେଉଳି ଗାଁ ନିକଟ ସର୍ଭିସ୍ ରାସ୍ତାରୁ ଏକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଶନିବାର ଭୋର୍ ସମୟରେ ମୃତ ଶିଶୁଟି ରାସ୍ତା କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।
ସୂଚନାନୁଯାୟୀ, ଶନିବାର ଭୋର୍ ସମୟରେ ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ଦେଉଳି ଗାଁ ନିକଟ ସର୍ଭିସ୍ ରୋଡ୍ରେ ଏକ ମୃତ ନବଜାତକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଶିଶୁଟି ଗତକାଲି ରାତିରେ କୌଣସି ମେଡିକାଲରେ ଜନ୍ମ ହେବା ପରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଶିଶୁଟିର ପେଟରେ ମେଡିକାଲର ପ୍ଲାଷ୍ଟିକ ପାଇପ୍ ଲାଗିଛି। ମେଡ଼ିକାଲରୁ ଡିସଚାର୍ଜ୍ ହୋଇ ଫେରିବା ପରେ ମୃତ ଶିଶୁଟିର ପିତାମାତା ଏଠାରେ ଫୋପାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ନଚେତ୍ କୁମାରୀ ମାତୃତ୍ଵ ଲୁଚାଇବା ପାଇଁ କେହି ଏଭଳି କରିଥାଇ ପାରନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।