ନୂଆଦିଲ୍ଲୀ ୧୮/୦୨: ଅଲ୍‌ଟ୍ରାସାଉଣ୍ଡ କିମ୍ବା ସୋନୋଗ୍ରାଫି ପାଇଁ ଅଦ୍ୟାବଧି ରୋଗୀଙ୍କୁ ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଯିବାକୁ ପଡୁଥିଲା । କିନ୍ତୁ ଏଣିକି ଗୋଟିଏ ସ୍ଥାନରେ ରୋଗୀ ଓ ଡାକ୍ତରଙ୍କ ଉପସ୍ଥିତିର ଆବଶ୍ୟକତା ଆଉ ରହିବ ନାହିଁ । ଟେକ୍ନୋଲୋଜିରେ ସଦ୍ୟ ଉପଲବ୍ଧି ଏହାକୁ ସମ୍ଭବ କରିଛି । ହଜାର ହଜାର କିମି ଦୂରରେ ରହି ଡାକ୍ତର ରୋଗୀଙ୍କର ଅଲ୍‌ଟ୍ରାସାଉଣ୍ଡ କରିପାରିବେ ।

ଏମ୍ସ ଦିଲ୍ଲୀ, ଆଇଆଇଟି ଦିଲ୍ଲୀ ସହ ମିଶି ଏକ ରୋବୋଟିକ୍ ଅଲ୍‌ଟ୍ରାସାଉଣ୍ଡ ଟେକ୍ନୋଲୋଜି ପ୍ରସ୍ତୁତ କରିଛି ଯାହା ଦୂରରେ ଥାଇ ପୂର୍ଣ୍ଣ ସଠିକତାର ସହିତ ରୋଗୀଙ୍କ ସ୍କାନିଂରେ ଡାକ୍ତରଙ୍କୁ ସାହାଯ୍ୟ କରିବ । ଏମ୍ସ ଡାକ୍ତର ଆଣ୍ଟାର୍କଟିକା ସ୍ଥିତ ଭାରତର ରିସର୍ଚ୍ଚ ଷ୍ଟେସନ୍ ମୈତ୍ରୀରେ, ଯାହା ୧୨ ହଜାର କିମି ଦୂର ସଫଳତାପୂର୍ବକ ଜଣେ ରୋଗୀଙ୍କର ଅଲ୍‌ଟ୍ରାସାଉଣ୍ଡ ସ୍କାନ୍ କରି ଇତିହାସ ସୃଷ୍ଟି କରିଛନ୍ତି । ଏମ୍ସ ପ୍ରଫେସର ଡା. ଚନ୍ଦ୍ରଶେଖର ଏସ୍‌ଏଚ୍ କହିଛନ୍ତି, ଫୋକସ୍‌ଡ ଆସେସ୍‌ମେଣ୍ଟ ୱିଥ୍ ସୋନୋଗ୍ରାଫି ଇନ୍ ଟ୍ରମା (ଏଫ୍ଏଏସ୍‌ଟି) ଟେକ୍ନୋଲୋଜି ପ୍ରୟୋଗ କରି ଏହି ସ୍କାନ୍ କରାଯାଇଛି ।

ଟେଲି ରୋବୋଟିକ୍ ଅଲ୍‌ଟ୍ରାସାଉଣ୍ଡ ସିଷ୍ଟମ୍ ଭବିଷ୍ୟତରେ ପର୍ବତ, ସମୁଦ୍ର, ସୁଦୂର ଗାଁ, ବିପର୍ଯ୍ୟସ୍ତ ଅଞ୍ଚଳ, ଯୁଦ୍ଧ ସମୟ, ଏପରିକି ଅତ୍ୟଧିକ ଥଣ୍ଡା କିମ୍ବା ଚରମ ପାଣିପାଗ ସ୍ଥିତିରେ ଦୂରରେ ରହି ରୋଗୀଙ୍କ ସ୍କାନ୍ କରିପାରିବ । ଏମ୍ସ ଦିଲ୍ଲୀର ଜଣେ ଡାକ୍ତର ହାପ୍‌ଟିକ୍‌ କଣ୍ଟ୍ରୋଲ ନାମରେ ପରିଚିତ ସ୍ୱତନ୍ତ୍ର ନିୟନ୍ତ୍ରଣ ଉପକରଣ ଜରିଆରେ ଆଣ୍ଟାର୍କଟିକାରେ ସ୍ଥିତ ମୈତ୍ରୀରେ ଏକ ରୋବୋଟିକ୍ ବାହୁକୁ ପରିଚାଳିତ କରିଥିଲେ । ରୋବୋଟିକ୍ ବାହୁ ଡାକ୍ତରଙ୍କ ହାତର ଗତିବିଧିକୁ ଠିକ୍ ଭାବେ ନକଲ କରି ସ୍କାନ୍ କଲା । ଠିକ୍ ସମୟରେ ଅଲ୍‌ଟ୍ରାସାଉଣ୍ଡ ଚିତ୍ର ଡାକ୍ତରଙ୍କ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଗଲା । ଏହା ସାଧାରଣ ଅଲ୍‌ଟ୍ରାସାଉଣ୍ଡ ପ୍ରକ୍ରିୟା ଭଳି ଥିଲା ।

ଆହୁରି ପଢ଼ନ୍ତୁ...ହସ୍ପିଟାଲ୍‌ରେ କାହିଁକି ଭର୍ତ୍ତି ହେଲେ ସଲମାନଙ୍କ ବାପା? ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପ୍‌ଡେଟ୍‌

ଡା. ଚନ୍ଦ୍ରଶେଖର କହିଛନ୍ତି, ରୋବୋଟିକ୍ ସିଷ୍ଟମ୍ ୬୦ ଡିଗ୍ରୀ ଯାଏ ଘୂରିପାରେ ଏବଂ ଆଗ-ପଛ ୩ ଦିଗ ଓ ଘଡ଼ିର ବିପରୀତ ୩ଟି ଦିଗରେ ଗତି କରିପାରେ । ଏହା ସୋନୋଗ୍ରାଫର୍‌ଙ୍କ ହାତର ଗତିବିଧିକୁ ନକଲ କରେ ଏବଂ ପରୀକ୍ଷଣ ସମୟରେ ଦିଆଯାଉଥିବା ଚାପର ଅନୁଭବ ମଧ୍ୟ ଡାକ୍ତରଙ୍କୁ ପ୍ରଦାନ କରେ । ଏହା ପ୍ରଦର୍ଶନ କରୁଥିବା ଛବି ଅତ୍ୟନ୍ତ ସ୍ପଷ୍ଟ ଏବଂ ଏହାର ଆକଳନ ମଧ୍ୟ ସହଜ । ମାତ୍ର ଗୋଟିଏ ସେକେଣ୍ଡରେ ଏହା କମ୍ପ୍ୟୁଟର ସ୍କ୍ରିନ୍‌ରେ ସାମ୍ନାକୁ ଆସେ । ହସ୍ପିଟାଲ ନ ଯାଇପାରୁଥିବା କିନ୍ତୁ ତତ୍କାଳ ପରୀକ୍ଷଣ ଚାହୁଁଥିବା ରୋଗୀଙ୍କ ପାଇଁ ଟେଲିରୋବୋଟିକ୍ ଅଲ୍‌ଟ୍ରାସାଉଣ୍ଡ ସିଷ୍ଟମ୍ ବିଶେଷ ଭାବେ ଲାଭକର ହେବ । ହଜାର ହଜାର କିମି ଦୂରରେ ରହି ରୋଗୀ ଠିକ୍ ସମୟରେ ପରୀକ୍ଷଣ ମାଧ୍ୟମରେ ଚିକିତ୍ସା କରାଇ ପାରିବେ ।