ନୂଆଦିଲ୍ଲୀ ୧୧/୦୬: ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ ମଣିଷର ହାରାହାରି ଆୟୁଷ ୯୦ ବର୍ଷ ଏକ କଳ୍ପନା । କୌଣସି ଦେଶ ଏହି ମାଇଲଖୁଣ୍ଟକୁ ଛୁଇଁପାରିବେ ନାହିଁ । କିନ୍ତୁ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଯୁଗାନ୍ତକାରୀ ଅଧ୍ୟୟନ ଏହି ଧାରଣାକୁ ଚାଲେଞ୍ଜ ଦେଇଛି । ଅଧ୍ୟୟନକର୍ତ୍ତା ଆକଳନ କରିଛନ୍ତି, ୨୦୩୦ରେ ଜନ୍ମିତ ଦକ୍ଷିଣ କୋରିଆ ମହିଳା ହାରାହାରି ୯୦.୮ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ଏପରି ହେଲେ ସେମାନେ ୯୦ ବର୍ଷ ଆୟୁଷ ଘାଟି ପାର୍ କରିଥିବା ବିଶ୍ୱର ପ୍ରଥମ ଜନସଂଖ୍ୟା ହେବେ ବୋଲି ଆଶା କରାଯାଉଛି । ଅଧ୍ୟୟନର ଏହି ତଥ୍ୟ ଦକ୍ଷିଣ କୋରିଆକୁ ଜାପାନ ଭଳି ପାରମ୍ପରିକ ଦୀର୍ଘାୟୁଙ୍କ ଦେଶଠୁ ଆଗରେ ରଖିଛି ତାହା ନୁହେଁ, ବରଂ ସ୍ୱାସ୍ଥ୍ୟସେବା, ପୋଷଣ ଓ ଜନସ୍ୱାସ୍ଥ୍ୟ ଭଳି କାରକ ଆୟୁଷ ଆଶାତୀତ ଭାବେ ବଢ଼ାଇ ପାରିବ ବୋଲି ଦର୍ଶାଇଛି ।

୨୦୧୭ ମସିହାରେ ଲାନସେଟ୍‌ରେ ପ୍ରକାଶିତ ଇମ୍ପିରିଆଲ କଲେଜ ଲଣ୍ଡନର ପ୍ରଫେସର ମାଜିଦ ଇଜ୍ଜାତିଙ୍କ ନେତୃତ୍ୱାଧୀନ ଏକ ଅନ୍ତର୍ଜାତୀୟ ଟିମ୍ର ଅଧ୍ୟୟନରୁ ଏହି ପୂର୍ବାନୁମାନ ସାମ୍ନାକୁ ଆସିଛି । ବାୟେସିଆନ ମଡେଲ ନାମକ ପୂର୍ବାନୁମାନର ଆଧୁନିକ ଉପାୟ ଉପଯୋଗ କରି ଅଧ୍ୟୟନକର୍ତ୍ତା ୩୫ ଔଦ୍ୟୋଗିକ ଦେଶମାନଙ୍କର ଭବିଷ୍ୟତ ଜୀବନକାଳକୁ ବିଶ୍ଳେଷଣ କରିଥିଲେ । ୨୧ ଭିନ୍ନ ଭିନ୍ନ ସାଂଖ୍ୟିକ ମଡେଲର ଫଳାଫଳକୁ ମଧ୍ୟ ଏଥିରେ ଯୋଡ଼ିଥିଲେ । ଫଳାଫଳରୁ ଜଣାପଡ଼ିଲା, ୨୦୩୦ରେ ଜନ୍ମିତ ଦକ୍ଷିଣ କୋରିଆ ମହିଳାଙ୍କ ଆୟୁଷ ହାରାହାରି ୯୦.୮ ବର୍ଷ ହେବ । ଦେଶର ମହିଳାଙ୍କ ଜୀବନକାଳ ୨୦୩୦ ମସିହା ସୁଦ୍ଧା ୯୦ ବର୍ଷ ବୟସରୁ ଟପିବାର ୫୭% ସମ୍ଭାବନା ରହିଥିବା ଅଧ୍ୟୟନରୁ ଜଣାପଡ଼ିଲା । ସେତିକି ନୁହେଁ, ଦକ୍ଷିଣ କୋରିଆ ମହିଳାଙ୍କର ହାରାହାରି ବୟସ ୮୬.୭ ବର୍ଷ ଅତିକ୍ରମ କରିବାର ସମ୍ଭାବନା ୯୦ ପ୍ରତିଶତ ବୋଲି ଅଧ୍ୟୟନକର୍ତ୍ତା ଜାଣିବାକୁ ପାଇଲେ, ଯାହା ବିଶ୍ୱର ଯେକୌଣସି ସ୍ଥାନରେ ଅଦ୍ୟାବଧି ରେକର୍ଡ ହୋଇଥିବା ମହିଳାଙ୍କର ସର୍ବାଧିକ ଆୟୁଷକୁ ପ୍ରତିନିଧିତ୍ୱ କରିବ ।

ଦକ୍ଷିଣ କୋରିଆବାସୀ ଦୀର୍ଘାୟୁ ହେବା ପଛରେ କୌଣସି ଗୋଟିଏ କାରଣକୁ ଗବେଷକମାନେ ଶ୍ରେୟ ଦେଇନାହାନ୍ତି । ସେମାନେ ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଭଳି କାରକଗୁଡ଼ିକୁ ଚିହ୍ନଟ କରିଛନ୍ତି, ଯାହା ବିଗତ ଅନେକ ଦଶନ୍ଧି ଧରି ଦେଶର ଜନସ୍ୱାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତ୍ତନ ଆଣିଛି । ପ୍ରଫେସର ଇଜ୍ଜାତି ଓ ତାଙ୍କ ସାଥୀ ଶୈଶବ ପୋଷଣ, ସ୍ୱାସ୍ଥ୍ୟସେବାରେ ବ୍ୟାପକ ପହଞ୍ଚ, ଅନେକ ପାଶ୍ଚାତ୍ୟ ଦେଶ ତୁଳନାରେ କମ୍ ମେଦବହୁଳତା ହାର, ଅପେକ୍ଷାକୃତ କମ୍ ହାରାହାରି ରକ୍ତଚାପ ସ୍ତର ଏବଂ ଚିକିତ୍ସା ଟେକ୍ନୋଲୋଜିଗୁଡ଼ିକୁ ଦ୍ରୁତ ଗ୍ରହଣ ଆଦିରେ ଉନ୍ନତିକୁ ଇଙ୍ଗିତ କରିଛନ୍ତି । ଏ ସମସ୍ତ କାରକ ମିଳିତ ଭାବେ ଦେଶର ବିଭିନ୍ନ ବୟସର ଲୋକଙ୍କ ମୃତ୍ୟୁ ହାର ହ୍ରାସ କରିଛି ଏବଂ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବଞ୍ଚିବାକୁ ଅଧିକ ଲୋକଙ୍କୁ ସାହାଯ୍ୟ କରିଛି ।

 

ଆହୁରି ପଢ଼ନ୍ତୁ...Space Station Retirement: ୨୦୩୦ରେ ଅବସର ନେବ ସ୍ପେସ୍ ଷ୍ଟେସନ୍: ପ୍ରଶାନ୍ତ ମହାସାଗରରେ ପଡ଼ିବ, ଖର୍ଚ୍ଚ ୯୫୦୦ କୋଟି

ଦକ୍ଷିଣ କୋରିଆର ସବୁଠୁ ବଡ଼ ସୁବିଧା ଏହାର ଜାତୀୟ ସ୍ୱାସ୍ଥ୍ୟ ବୀମା ସେବା । ଯାହା ଆପାତତଃ ବୈଶ୍ୱିକ ସ୍ୱାସ୍ଥ୍ୟସେବା କଭରେଜ୍ ପ୍ରଦାନ କରୁଛି । କିଛି ଦେଶରେ ସ୍ୱାସ୍ଥ୍ୟସେବା ପୂରାପୂରି ଲୋକଙ୍କ ଆୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥିବା ବେଳେ ଦକ୍ଷିଣ କୋରିଆର ଅଧିକାଂଶ ଲୋକ ବ୍ୟାପକ ସ୍ୱାସ୍ଥ୍ୟସେବା ସୁବିଧା ଲାଭ କରୁଛନ୍ତି । ୧୯୮୦ ଦଶକ ମଝିରେ ଦକ୍ଷିଣ କୋରିଆରେ ମହିଳାଙ୍କ ହାରାହାରି ଜୀବନକାଳ ପ୍ରାୟ ୭୩ ବର୍ଷ ଥିଲା । ୨୦୧୦ ସୁଦ୍ଧା ଏହା ୮୪ ବର୍ଷ ଟପିଲା । ୨୦୩୦ ସୁଦ୍ଧା ଏହାର ଯଥେଷ୍ଟ ବୃଦ୍ଧି ଅନୁମାନ କରିଛି ଲାନସେଟ୍।