ପୁରୀ,୨୬/୦୭: ବିଶ୍ୱବାସୀଙ୍କ ସମ୍ମୁଖରେ ବିବର୍ଣ୍ଣ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ବେପାର ନାମରେ ଚାଲିଛି ବ୍ୟାପକ ବିକୃତି । କେଉଁ ରଥରେ କେଉଁ ଠାକୁରେ ବିରାଜମାନ କରୁଛନ୍ତି ଜଣା ନାହିଁ । କେଉଁ ତିଥିରେ କେଉଁ ପର୍ବ ଓ କ’ଣ ତାର ଅସଲ ରହସ୍ୟ ବୁଝୁନାହାନ୍ତି । ଶ୍ରୀମନ୍ଦିର ସମ୍ପର୍କିତ ପରମ୍ପରାର ନାମକରଣରେ ମଧ୍ୟ ଅସଂଖ୍ୟ ଭୁଲ । ନିଜ ନିଜ ଉତ୍ପାଦର ପ୍ରଚାର ପାଇଁ ଠାକୁରଙ୍କ ନାମରେ ଏହିଭଳି ଭୁଲ୍ ବିଜ୍ଞାପନ ସବୁ ପ୍ରଦର୍ଶିତ ହୋଇଛି । ତାହା ପୁଣି ଖୋଦ୍ ଜଗନ୍ନାଥ ଧାମରେ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ । ଯାହାକି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବା ସହ ଶ୍ରୀମନ୍ଦିର ପରମ୍ପରାକୁ କ୍ଷତି ପହଞ୍ଚାଉଛି ।
ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ନାମୀ କମ୍ପାନୀ ପକ୍ଷରୁ ରଥ ଯାତ୍ରା ୨୦୨୬ ଅବସରରେ ଠାକୁରଙ୍କ ନାମରେ ପ୍ରଦର୍ଶିତ ହୋଇଛି ଅନେକ ସୁଦୃଶ୍ୟ ବୋର୍ଡ଼ । ଏଥିରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଆଧାରିତ ଅନେକ ଯାନିଯାତ୍ରା ଦେଖିବାକୁ ମିଳିଛି । ହେଲେ ସେଥିରେ ରଥ ଯାତ୍ରାକାଳୀନ ଦୃଶ୍ୟରେ ରଥାରୂଢ଼ ଠାକୁରଙ୍କ ଚିତ୍ର ମଧ୍ୟ ଉଚିତ ଢଙ୍ଗରେ ପ୍ରଦର୍ଶିତ ହୋଇନାହିଁ । ଦେବଦଳନ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ନନ୍ଦିଘୋଷ ରଥରେ ମା’ସୁଭଦ୍ରା ବିଜେ ହୋଇଛନ୍ତି । କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ଅସଲ ମୂଲ୍ୟବୋଧକୁ କୁଠାରାଘାତ କରୁଛି । କେବଳ ଏତିକି ନୁହେଁ ଓଡ଼ିଆ ଲେଖାରେ ମଧ୍ୟ ଅସଂଖ୍ୟ ଭୁଲ ଦେଖିବାକୁ ମିଳୁଛି । ଏଭଳି ମନମୁଖୀ ପ୍ରଦର୍ଶନ ଦ୍ୱାରା ଲକ୍ଷ ଲକ୍ଷ ଯାତ୍ରୀ ଶ୍ରୀଜଗନ୍ନାଥଙ୍କ ରୀତିନୀତି ନେଇ ଭ୍ରମରେ ପଡ଼ୁଛନ୍ତି । ସେହିଭଳି ବନାନଗତ ତ୍ରୁଟି ଯୋଗୁ ଓଡ଼ିଆ ଶଦ୍ଦଗୁଡ଼ିକ ମଧ୍ୟ ବିକୃତ ହେଉଛି । ଏସବୁକୁ ନେଇ ସଚେତନ ଜଗନ୍ନାଥ ସଂସ୍କୃତିପ୍ରେମୀ କ୍ଷୋଭ ପ୍ରକାଶ କରୁଛନ୍ତି ।
ଅଧିକ ପଢ଼ନ୍ତୁ :- Crime Breaking: ପୁଣି ଅଶାନ୍ତ ହେଲେ ରାଜଧାନୀ, ବିଳମ୍ବିତ ରାତିରେ ଘୁଗୁନି ବିକାଳୀଙ୍କୁ ଛୁରା ମାଡ଼ କଲେ ଦୁର୍ବୃତ୍ତ
ଏନେଇ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ କୁହନ୍ତି, ଅନାବଶ୍ୟକ କୃତ୍ରିମ ବୁଦ୍ଧିମତା (ଏଆଇ) ଅଯଥାରେ ମହାପ୍ରଭୁଙ୍କ ସଂସ୍କୃତି ଓ ଐତିହ୍ୟର ଗରିମା ନଷ୍ଟ କରୁଛି । କମ୍ପାନୀ କର୍ତ୍ତ ୃପକ୍ଷ ମହାପ୍ରଭୁଙ୍କ ସମ୍ପର୍କିତ ତଥ୍ୟ ପ୍ରକାଶ କରିବାରେ ଘୋର ଅବହେଳା କରୁଛନ୍ତି । ସେମାନଙ୍କ ଖାମଖିଆଲ ମାନସିକତାରୁ ଲୋକେ ଠାକୁରଙ୍କ ଆଧାରିତ ପ୍ରକୃତ କଥା ଜାଣିବା ପରିବର୍ତ୍ତେ ଭୁଲ୍ ତଥ୍ୟ ପାଉଛନ୍ତି । ଏପଟେ ଠାକୁରଙ୍କ ନାମରେ ନିର୍ଦ୍ଧୁମ ବେପାର କରୁଛନ୍ତି ସଂପୃକ୍ତ କମ୍ପାନୀ । ନିଜ ବ୍ରାଣ୍ଡକୁ ଆଗକୁ ନେବାକୁ ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଛନ୍ତି । ଏଭଳି ଦୃଷ୍ଟିକଟୁ ବହୁ ଚିତ୍ର ସୋସିଆଲ ମିଡ଼ିଆରେ ପ୍ରଦର୍ଶିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଜଗତରନାଥ ଶ୍ରୀଜଗନ୍ନାଥ । ବିଶ୍ୱବାସୀଙ୍କୁ ଆପଣାଇ ନେବାକୁ ଠାକୁରେ ବାହୁ ପ୍ରସାରିଛନ୍ତି । ଏଣୁ ଠାକୁରଙ୍କ ସଂସ୍କୃତିର ମୌଳିକତା ବଜାୟ ରଖିବା ମଧ୍ୟ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କର ବୋଲି ମତ ପ୍ରକାଶ ପାଉଛି।