ବ୍ରହ୍ମପୁର,୭/୧୧ : ସ୍ଥାନୀୟ ଶୀତଳାପଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌-୩ ଓ ଅଣ ସରକାରୀ ସଂଗଠନ ‘ଭରସା’ର ମିଳିତ ସହଯୋଗରେ ସୋମବାର ଗଞ୍ଜାମଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମସ୍ଥିତ ଭାରତୀ ବିଦ୍ୟାପୀଠଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୪୦୦ଲୋକଙ୍କର ସମାଗମ ହୋଇଥିଲା ।

ସ୍ଥାନୀୟ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ଆୟୋଜିତ ଏହି ଶିବିରରେ ନ୍ୟୁରୋଲଜି, ମେଡିସିନ୍‌, ଏଣ୍ଡୋକ୍ରିନୋଲଜି, ଅର୍ଥୋପେଡିକ୍ସ, ଗାୟନୋକଲୋଜି, ଡର୍ମାଟୋଲଜି, ପେଡିଆଟ୍ରିକ୍ସ, ସାଇକିଆଟ୍ରି, ଅପ୍‌ଥାଲମୋଲୋଜି ଓ ଡେଂଟିଷ୍ଟ୍ରି ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ । ଶିବିରର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଂଚାଇ ଦିଆଯାଉଛି । 

ରୋଗୀମାନଙ୍କୁ ଏହି ଶିବିରରେ ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ଯୋଗ ଦେଇଥିବା ରୋଗୀମାନେ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।