ଫୁଲବାଣୀ /ଫିରିଙ୍ଗିଆ,୨୦/୧୧ : ଜନ୍ମ ହେବାର ମାତ୍ର ମାସେ ହେଇଛି I ଶିଶୁଟିର ଅଣ୍ଟାରେ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି ଏକ ମାଂସ ପିଣ୍ଡୁଳା । ଅର୍ଥ ଅଭାବ ପାଇଁ ଶିଶୁଟିର ଚିକିତ୍ସାରେ ବାଧା ସୃଷ୍ଟି ହେଉଛି । ଶିଶୁଟି ବାପା ଓ ମା’ଙ୍କ ପ୍ରଥମ ସନ୍ତାନ ହୋଇଥିବାବେଳେ ଶିଶୁ ପାଇଁ ପୁରା ଚିନ୍ତାରେ ପଡ଼ି ଯାଇଛନ୍ତି ପୁରା ପରିବାର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅଧୀନରେ ଥିବା ଗଞ୍ଜୁଗୁଡା ପଞ୍ଚାୟତର କେଣ୍ଡ୍ରିଗୁଡା ଗାଁରେ I
ସୂଚନା ଅନୁସାରେ, ଏହି ଗାଁର ବିନୋଦ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ପଦ୍ମିନୀ ମୟୁରଭଞ୍ଜ ଜିଲ୍ଲା ଝାସୀପୁରା ଅଂଚଳର ହୃଷୀ କେସ ବେହେରା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ହୃଷିକେସ ବ୍ରହ୍ମପୁରର ଏକ ଘରୋଇ କମ୍ପାନୀରେ କମ କରୁଛନ୍ତି I ତେବେ ବିବାହର ବର୍ଷେ ପରେ ଗତ ଅକ୍ଟୋବର ୧୭ ତାରିଖ ବ୍ରହ୍ମପୁରର ଏକ ଘରୋଇ ମେଡ଼ିକାଲରେ ପଦ୍ମିନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ I କିନ୍ତୁ ଜନ୍ମ ହେବା ପରେ ଶିଶୁଟିର ପଛ ପଟ ଅଣ୍ଟାରେ ଏକ ଛୋଟ ମାଂସ ପିଣ୍ଡୁଳା ଥିବା ଦେଖିବାକୁ ମିଳିଥିଲା I ପ୍ରଶବ କରିଥିବା ଡାକ୍ତର ମଧ୍ୟ ଏହି ମାଂସ ପିଣ୍ଡୁଳାଟି କିଛି ହେବ ନାହିଁ ବୋଲି କହିଥିଲେ I ଡାକ୍ତରଙ୍କ କଥା ଶୁଣି ପଦ୍ମିନୀ ତାଙ୍କ ସ୍ୱାମୀ ପଦ୍ମିନୀଙ୍କ ବାପା ଘର କେଣ୍ଡ୍ରିଗୁଡାକୁ ଚାଲି ଆସିଥିଲେ I କିନ୍ତୁ ଦୁଃଖର ବିଷୟ ଶିଶୁଟିର ବୟସ ବଢିବା ସାଙ୍ଗକୁ ଶିଶୁଟିର ଅଣ୍ଟାରେ ବଢୁଥିବା ମାଂସ ପିଣ୍ଡୁଳା ବଢ଼ିବଢ଼ି ଚାଲିଛି I ଗତ ମାସେ ଭିତରେ ଶିଶୁଟିର ପରିବାର ଲୋକେ କଟକ ଭୁବନେଶ୍ୱରଠାରୁ ଆରମ୍ଭ କରି ଅନେକ ଡାକ୍ତରଖାନରେ ଦେଖାଇ ସାରିଲେଣି। ଯାହା ସଂଚୟ କରି ରଖିଥିଲେ ସବୁ ସରିଲାଣି । କୁଲି ମଜୁରୀ କରି ପରିବାର ପରିପୋଷଣ କରୁଥିବା ପଦ୍ମିନୀ ଓ ତାଙ୍କ ସ୍ୱାମୀଙ୍କ ପକ୍ଷେ ଶିଶୁଟିର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ସମ୍ଭବ ହୋଇପାରୁନାହିଁ । ସେପଟେ ମାଂସ ପିଣ୍ଡୁଳା ବଢିବାରେ ଲାଗିଥିବାବେଳେ ଯନ୍ତ୍ରଣାରେ ଛଟପଟ ହେଉଛି ଏହି ମାସକର କଅଁଳା ଶିଶୁଟି । ଶିଶୁର ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ଶିଶୁ ଟିର ମା’ ଓ ପରିବାର ଲୋକେ । ସରକାରୀ ସହାୟତା ଯୋଗାଇ ଦେଲେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି କଅଁଳା ଶିଶୁ ଟିର ଜୀବନ ବଞ୍ଚି ଯାଇ ପାରନ୍ତା । ଅନ୍ୟପଟେ ଏଭଳି ପରିସ୍ଥିତିରେ ଏହି ଗରିବ ଅସହାୟ ପରିବାର ଲୋକଙ୍କୁ ସରକାର ସହଯୋଗ କରିବା ଏବେ ଜରୁରୀ ହୋଇ ପଡ଼ିଥିବାବେଳେ ଶିଶୁର ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି I