ନୂଆଦିଲ୍ଲୀ - ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏକ ପ୍ରେମ କାହାଣୀର ମଙ୍ଗଳବାର ବାଗପତ ପୁଲିସ ଷ୍ଟେସନରେ ଖୁସିଦ ଅନ୍ତ ଘଟିଛି। ସହାରନପୁରର ବାସିନ୍ଦା ଦୁଇ ସନ୍ତାନର ମାଆକୁ ଫେସବୁକରେ ଜଣେ ଯୁବକଙ୍କ ସହ ପ୍ରେମ ହୋଇ ଯାଇଥିଲା। ଏହା ପରେ, ମହିଳା ଜଣକ ତାଙ୍କର ଦୁଇ ପିଲା ଓ ସ୍ୱାମୀଙ୍କୁ ସହାରନପୁରରେ ଛାଡି ଟଟିରିରେ ଥିବା ତାଙ୍କ ପ୍ରେମିକଙ୍କ ଘରକୁ ପଳାଇଲେ। ମହିଳାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକେ ମଧ୍ୟ ତାଙ୍କ ପଛେ ପଛେ ଟେଟିରିରେ ପହଞ୍ଚି ପୁଲିସକୁ ଡ଼ାକିଥିଲେ। ଘଣ୍ଟା ଘଣ୍ଟା ଧରି ହଙ୍ଗାମା ଏବଂ ମହିଳାଙ୍କ ଜିଦି ଆଗରେ ସ୍ୱାମୀ ଶେଷରେ ହାର ମାନିଲେ । ସ୍ୱାମୀ ଥାନାରେ ହିଁ ତାଙ୍କ ସ୍ତ୍ରୀଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗି ,ତାଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ରହିବାକୁ କହିଲେ ଏବଂ ସେ ତାଙ୍କ ପରିବାର ସହ ଫେରି ଆସିଲେ । ସେହି ସମୟରେ ଯୁବକଙ୍କ ପରିବାର ଲୋକେ ଥାନାରେ ତାଙ୍କୁ (ମହିଳା) ମିଠା ଖୁଆଇ ଖୁସି ପାଳନ କରିଥିଲେ ।
ଲାଇଭ ହିନ୍ଦୁସ୍ତାନ ଡଟ୍ କମ୍ରେ ପ୍ରକାଶିତ ତଥ୍ୟ ଆଧାରରେ - ସହାରନପୁରର ଜଣେ ଯୁବକଙ୍କ ବିବାହ ପାଖ ଗାଁର ଜଣେ ଝିଅ ସହ ହୋଇଥିଲା। ବିବାହ ପରେ, ମହିଳା ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ଜୀବନ ଭଲ ଭାବେ ଚାଲିଥିଲା । ଏହି ସମୟରେ, ମହିଳା ଜଣକ ଫେସବୁକ୍ ମାଧ୍ୟମରେ ଟେଟିରି ସହରର ଜଣେ ୨୨ ବର୍ଷୀୟ ଯୁବକଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଏହାପରେ ମହିଳା ଜଣକ ତାଙ୍କ ପିଲା ଏବଂ ସ୍ୱାମୀଙ୍କୁ ଛାଡି ମଙ୍ଗଳବାର ତୃତୀୟ ଥର ପାଇଁ ତାଙ୍କ ପ୍ରେମିକଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କ (ପ୍ରେମିକ) ସହ ରହିବାକୁ ଜିଦ୍ ଧରି ଥିଲେ। କୁହାଯାଏ ଯେ କିଛି ସମୟ ପରେ, ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହି ସମୟରେ, ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହା ପରେ ସ୍ୱାମୀ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ସଂପୃକ୍ତ ପ୍ରେମିକକୁ ଥାନାକୁ ଆଣିଥିଲା। କିଛି ସମୟ ପରେ ପ୍ରେମିକା ମଧ୍ୟ ପୁଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପ୍ରେମିକ ସହିତ ରହିବାକୁ ଜିଦ୍ ଧରିଥିଲେ। ଘଣ୍ଟା ଘଣ୍ଟା ଧରି ମିଳାମିଶା ପାଇଁ ପ୍ରୟାସ ଚାଲିଥିଲା, କିନ୍ତୁ ମହିଳା ଏବଂ ଯୁବକ ଏକାଠି ରହିବାରେ ଅଟଳ ରହିଥିଲେ । ଏହା ପରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ହାତକୁ ପ୍ରେମିକ ହାତରେ ଛନ୍ଦି କହିଥିଲେ - ଏବେ ତାଙ୍କ ସହ ରୁହ । ଏହା ପରେ ମହିଳାଙ୍କ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟ ସହାରନପୁର ଫେରିଗଲେ।
ବାଗପତର ପୁଲିସ ଷ୍ଟେସନ ଇନଚାର୍ଜ ବୃଜେଶ କୁମାର କହିଛନ୍ତି - ୩୭ ବର୍ଷୀୟ ମହିଳାଙ୍କର ଟେଟିରି ସହରର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ମହିଳା ଜଣକ ଦୁଇଟି ପିଲାର ମାଆ ମଧ୍ୟ ଥିଲେ। ଉଭୟ ଏକାଠି ରହିବାକୁ ଜିଦ୍ ଧରିଛନ୍ତି। ମହିଳାଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବ ଏବଂ ତାଙ୍କ ବୟାନ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।