ନୂଆଦିଲ୍ଲୀ ୦୮/୦୪: କାମ୍ବୋଡିଆରେ ଲ୍ୟାଣ୍ଡମାଇନ୍‌ ଚିହ୍ନଟ କରୁଥିବା ଏକ ମୂଷା ଗିନିଜ୍‌ ରେକର୍ଡର ଅଧିକାରୀ ହୋଇଛି । ତା’ର ନାଁ ରୋନିନ୍‌ । ସ୍ୱେଚ୍ଛାସେବୀ ସଂଗଠନ ଏପିଓପିଓ ଅନୁସାରେ, ରୋନିନ୍‌ ୨୦୨୧ରୁ ଅଦ୍ୟାବଧି ୧୦୯ ଲ୍ୟାଣ୍ଡମାଇନ୍‌ ଓ ୧୫ ଅଫୁଟା ସାମଗ୍ରୀ ଚିହ୍ନଟ କରିଛି । ବର୍ତ୍ତମାନ ଏହାର ବୟସ ୫ ବର୍ଷ । ଏହାର ନିୟନ୍ତ୍ରକ ଫାନି କହିଛନ୍ତି, ରୋନିନ୍‌ର ଏହି ଉପଲବ୍ଧି ମୂଷାମାନଙ୍କର ଅସୀମ ଦକ୍ଷତାକୁ ସୂଚାଇଥାଏ । ସେ ଯେକୌଣସି ସଂସ୍ଥା ଲାଗି ଏକ ସମ୍ପତ୍ତି ହୋଇଥିବାବେଳେ ଏକ ଭଲ ସହକର୍ମୀ ମଧ୍ୟ ।

ରୋନିନ୍‌ ଏପିଓପିଓର ହିରୋର‌୍ୟାଟ୍‌ କାର୍ଯ୍ୟକ୍ରମ ଅଧୀନରେ କାମ କରିଥାଏ । ସେହି କାର୍ଯ୍ୟକ୍ରମରେ ଆଫ୍ରିକାର ଲମ୍ବା ଲାଞ୍ଜଯୁକ୍ତ ମୂଷାଙ୍କୁ ମାଟି ତଳେ ବିଛା ଯାଇଥିବା ଲ୍ୟାଣ୍ଡମାଇନ୍‌କୁ ଶୁଂଘି ଚିହ୍ନଟ କରିବାକୁ ତାଲିମ ଦିଆଯାଏ । ସେହିପରି ଏକଦା ଯୁଦ୍ଧଗ୍ରସ୍ତ ଥିବା ଅଞ୍ଚଳରେ ମାଟି ତଳେ ରହିଯାଇଥିବା ବିସ୍ଫୋରକକୁ ମଧ୍ୟ ଏହି ମୂଷାମାନେ ଶୁଂଘି ଚିହ୍ନଟ କରିଥାନ୍ତି । କାର୍ଯ୍ୟରେ ଲଗାଯିବା ପୂର୍ବରୁ ଏଗୁଡ଼ିକୁ ତାଞ୍ଜାନିଆର ସୋକୋଇନ୍‌ ବିଶ୍ୱବିଦ୍ୟାଳୟରେ ପାଳି ବଡ଼ କରାଯାଏ । 

ଏହି ସଂସ୍ଥା ନିକଟରେ ଏବେ ୧୦୪ଟି ତାଲିମପ୍ରାପ୍ତ ମୂଷା ରହିଛନ୍ତି । ସେଗୁଡି଼କୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରେ ଲଗାଯାଇଛି । ବିଶେଷକରି କାମ୍ବୋଡି଼ଆ, ୟୁକ୍ରେନ୍‌, ଦକ୍ଷିଣ ସୁଦାନ ଓ ଅଜରବୈଜାନ ଭଳି ଦେଶରେ ମାଟିତଳୁ ବିପଜ୍ଜନକ ସାମଗ୍ରୀ ବାହାର କରିବାରେ ସହାୟତା ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଛି । ଅଦ୍ୟାବଧି ଏପିଓପିଓ ସାରା ବିଶ୍ୱରେ ୧୬୯,୦୦୦ ଲ୍ୟାଣ୍ଡମାଇନ୍‌ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଇଛି । ରୋନିନ୍‌ ମୁତୟନ ଥିବା କାମ୍ବୋଡିଆରେ ୧୯୯୮ ମସିହାରେ ଗୃହଯୁଦ୍ଧ ଶେଷ ହେବା ପରଠାରୁ ମାଟି ତଳେ ବହୁସଂଖ୍ୟାରେ ଅଫୁଟା ବିସ୍ଫୋରକ ରହିଯାଇଛି । ରୋନିନ୍‌ ଭଳି ମୂଷାଙ୍କର ଛୋଟ ଆକାର ଓ ଗନ୍ଧ ବାରିବାର କ୍ଷମତା ଏହି କାମପାଇଁ ବେଶ୍‌ ଉପଯୋଗୀ ହେଉଛି । 

ଏପରିକି ମେଟାଲ ଡିଟେକ୍ସର ବ୍ୟବହାର କରି ଲ୍ୟାଣ୍ଡମାଇନ୍‌ ଚିହ୍ନଟ କରୁଥିବା ଲୋକଙ୍କଠାରୁ ଏଗୁଡି଼କ ଅଧିକ ଶୀଘ୍ର ଯେକୌଣସି ସ୍ଥାନରେ ସର୍ଚ୍ଚ କରିଥାନ୍ତି । ସେହିପରି ଅପରେସନ୍‌ ସମୟରେ ଅଦ୍ୟାବଧି ଗୋଟିଏ ବି ମୂଷାର ଆହତ କିମ୍ବା ମୃତ୍ୟୁ ନେଇ ସେମାନଙ୍କ ନିକଟରେ ସୂଚନା ନାହିଁ ବୋଲି ଏପିଓପିଓ ଦର୍ଶାଇଛି । ଏହା ପୂର୍ବରୁ ଏହି ରେକର୍ଡ ହିରୋର‌୍ୟାଟ୍‌ର ଆଉ ଏକ ମୂଷା ମାଗାୱା ନାମରେ ଥିଲା । ତାହା ନିଜର କାର୍ଯ୍ୟକାଳ ମଧ୍ୟରେ ୭୧ଟି ଲ୍ୟାଣ୍ଡମାଇନ ଓ ୩୮ଟି ଅଫୁଟା ସାମଗ୍ରୀକୁ ଚିହ୍ନଟ କରିଥିଲା । ୨୦୨୧ରେ ମାଗାୱା ଅବସର ନେଇଥିବାବେଳେ ତାକୁ ସାହସିକତା ମେଡାଲ ମଧ୍ୟ ମିଳିଥିଲା । ତା’ ପରବର୍ଷ ବାର୍ଦ୍ଧକ୍ୟ କାରଣରୁ ମାଗାୱା ପ୍ରାଣ ହରାଇଥିଲା ।