ଭୁବନେଶ୍ୱର ୧୪/୧୧:  ରାଜଧାନୀ ଉପକଣ୍ଠରେ ସହର ଗଢ଼ା  ହେବ । ନୂଆ ରୂପ ପାଇବ ସହର ।  ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।   ଏକ ଉଚ୍ଚସ୍ତରୀୟ ଟିମ୍‌ ଘଟଣାସ୍ଥଳ  ପରିଦର୍ଶନ କରିବା ସହ ସିଟିଜ୍‌  ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି  ପ୍ରତିନିଧି ଦଳରେ କେନ୍ଦ୍ର ନଗର ଉନ୍ନୟନ  ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବିଶ୍ୱ  ବ୍ୟାଙ୍କ ଏବଂ ଏସିଆନ୍‌ ବ୍ୟାଙ୍କର ଏକ ସ୍ୱତନ୍ତ୍ର  ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ  (ବିଡିଏ) ଆଉ ପାଦେ ଆଗକୁ ବଢିବ । ବିକାଶମୂଳକ କାର୍ଯ୍ୟ ଆଗେଇବ । 

ଏନେଇ ଉପାଧ୍ୟକ୍ଷ ଏନ୍‌ ଥିରୁମାଲା ନାୟକଙ୍କ  ନେତୃତ୍ୱରେ ଏକ ଟିମ୍‌ ପାଇରାପୁର  ଠାରେ ଚାଲିଥିବା ସ୍କିମ୍‌ ପରିଦର୍ଶନ  କରିଥିଲା । ଏହା ସହ ପ୍ରସ୍ତାବିତ  ସିଟିଜ ପ୍ରକଳ୍ପ ବୁଲି ଦେଖିଥିଲେ ।  ସ୍ୱତନ୍ତ୍ର ଟିମ୍‌ ସହ ଉନ୍ନତିଭବନରେ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ  ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ  ମାନେ ଉପସ୍ଥିତ ଥିଲେ । ବୈଠକରେ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା  ହୋଇଥିଲା । ବିଶେଷ କରି ସହରାଞ୍ଚଳ  ଉନ୍ନତୀକରଣକୁ ଗୁରୁତ୍ୱ ଦିଆଯାଇଥିଲା ।  ବିଶ୍ୱବ୍ୟାଙ୍କ୍‌ ସହାୟତାରେ କାର୍ଯ୍ୟ  ଆଗେଇବ ।  

ରାଜଧାନୀ ଉପକଣ୍ଠକୁ ଲାଗି ୩  ରାଜସ୍ୱ ଗ୍ରାମରେ ହାଇଟେକ ସିଟି ବା  ନୂଆ ସହର ଗଠନ ହେବ । ମଳିପଡ଼ା,  ଦାସପୁର ଓ ଗୋଠପାଟଣାରେ ପ୍ରାୟ  ୮୨୧.୯୬୧ ଏକର ଜମି ଚିହ୍ନଟ  କରାଯାଇଛି । ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ  କରାଯିବ । ତା ପୂର୍ବରୁ ପାଚେରି ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୭.୫ କିମି  ପାଚେରି ନିର୍ମାଣ ହେବ । ସେଥିରୁ ପ୍ରାୟ ୧.୬  କିମି ପାଚେରି ନିର୍ମାଣ କାର୍ଯ୍ୟ କରିଛି ବିଡିଏ ।