ନୂଆଦିଲ୍ଲୀ ୧୯/୧୨: ଇଂଲଣ୍ଡର ଅକ୍ସଫୋର୍ଡଶାୟର୍ରେ ଏକ ବିରଳ ଗୋଲାକାର ଅଣ୍ଡା ୨୦୦ ପାଉଣ୍ଡ୍ ଅର୍ଥାତ୍ ପ୍ରାୟ ୨୧,୫୦୦ ଟଙ୍କାରେ ବିକ୍ରି ହୋଇଛି । ଏଡ୍ ପୋନେଲ ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହି ଅଣ୍ଡାକୁ କିଣିଥିଲେ । ସେ ଏହାକୁ ଏକ ଅଣ-ଲାଭକାରୀ ସଂଗଠନ ଲୁଭେନ୍ଟାସ ଫାଉଣ୍ଡେସନ୍କୁ ଦାନ କଲେ । ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ, ଜୀବନ ଶିକ୍ଷା ଏବଂ ମେଣ୍ଟରସିପ୍ କ୍ଷେତ୍ରରେ ଏହି ସଂଗଠନ କାମ କରେ ।
ସଂଗଠନର ପ୍ରତିନିଧି ରୋଜ୍ ରାପ୍ କହିଛନ୍ତି, ଦାତବ୍ୟ ନିଲାମରେ କେବଳ ଏହି ଅଣ୍ଡା ହିଁ ଏକମାତ୍ର ସାମଗ୍ରୀ ଥିଲା, ଯାହା କେବଳ ୨୦୦ ପାଉଣ୍ଡ ପାଣ୍ଠି ସଂଗ୍ରହ କଲା । ଅନ୍ୟ ସାମଗ୍ରୀ ନିଲାମ ସହିତ ସଂଗଠନ ମୋଟ୍ ୫ ହଜାର ପାଉଣ୍ଡ ପାଣ୍ଠି ସଂଗ୍ରହ କଲା । ସ୍କଟ୍ଲାଣ୍ଡର ଆୟିର ସ୍ଥିତ ଏକ ସଉଦା ଦୋକାନରେ ଥିବା ଅଣ୍ଡା ବାକ୍ସରୁ ଜଣେ ମହିଳା ଏହି ବିରଳ ଅଣ୍ଡା ଆବିଷ୍କାର କରିଥିଲେ । ସେ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବର୍କଶାୟାର ସ୍ଥିତ ଲାମ୍ବୋର୍ନର ଏଡ୍ ପୋନାଲଙ୍କୁ ଦେଇଥିଲେ । ପୋନାଲ ଏହି ଅନନ୍ୟ ଆବିଷ୍କାରକୁ ଦେଖି ଖୁସି ହୋଇଗଲେ । ସେ ଏହାକୁ ୧୫୦ ପାଉଣ୍ଡ୍ରେ କିଣିଲେ । ତା’ପରେ ସେ ଲୁଭେନଟାସ୍ ଫାଉଣ୍ଡେସନ୍କୁ ଦାନ କଲେ । ସଂଗଠନ ପ୍ରଥମେ ଏହି ଅଣ୍ଡାକୁ ଥଟ୍ଟାରେ ନେଲା । କିନ୍ତୁ ପରେ ଏହାର ଗୁରୁତ୍ୱ ବୁଝିବା ପରେ ଅଣ୍ଡାର ନିଲାମ ବ୍ୟବସ୍ଥା କଲା।
ପୂର୍ବରୁ ଏହି ଅଣ୍ଡା ନିଲାମ ହୋଇଥିବା ଥମ୍ସନ ରୋଡିକ୍ କାଲାନ ନିଲାମଗୃହର କର୍ମଚାରୀ ଡେଭିଡ୍ ମିଲର କହିଛନ୍ତି, ଗୋଲାକାର ଅଣ୍ଡାକୁ ୧୦୦ କୋଟିରେ ଗୋଟିଏ ଘଟଣା ଭାବେ ବିବେଚନା କରାଯାଏ । ଏହାର ନିଲାମରୁ ମିଳିଥିବା ପାଣ୍ଠି ମାନସିକ ସ୍ୱାସ୍ଥ୍ୟ ସହ ଲଢ଼େଇ କରୁଥିବା ୧୩-୨୫ ବର୍ଷୀୟ ପିଲାଙ୍କ ସାହାଯ୍ୟରେ ଖର୍ଚ୍ଚ ହେବ ।
ଗତ ନଭେମ୍ବର ମାସରେ ୧୯୪୭ ମସିହାରେ ଅନୁଷ୍ଠିତ ରାଣୀ ଏଲିଜାବେଥ୍ ୨ୟ ଓ ପ୍ରିନ୍ସ ଫିଲିପ୍ଙ୍କ ବିବାହ ଦିନର ଖଣ୍ଡେ କେକ୍ ୨,୩୯,୯୧୫ ଟଙ୍କାରେ ନିଲାମ ହୋଇଥିଲା । ୭୭ ବର୍ଷ ତଳେ ଏହି ରାଜକୀୟ ବିବାହରେ ୯ ଫୁଟର ଏକ ଫ୍ରୁଟ୍କେକ୍ ପ୍ରସ୍ତୁତ ହୋଇଥିଲା । ରାଣୀ ଏଲିଜାବେଥ୍ ତାଙ୍କ ପ୍ରାସାଦର ଜଣେ କର୍ମଚାରୀଙ୍କ ପାଖକୁ ଧନ୍ୟବାଦ ଚିଠି ସହିତ ସେହି କେକ୍ରୁ ଖଣ୍ଡେ ପଠାଇଥିଲେ।