ଭୁବନେଶ୍ୱର, ୯/୦୫ : ଓଡ଼ିଶାର ଗୌରବମୟ ଇତିହାସର ମୂକସାକ୍ଷୀ ଖଣ୍ଡଗିରି ଓ ଉଦୟଗିରି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ । ଏଥିପାଇଁ ଓଡ଼ିଶା ସରକାର ବଡ଼ ଯୋଜନା କରିଛନ୍ତି । ଯାହାକୁ କାର୍ଯ୍ୟକାରୀ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏହି ଐତିହାସିକସ୍ଥଳର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବର ମୁଖ୍ୟ ଆକର୍ଷଣ ରହିଛି କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ । କମିଟିର ସୁପାରିସ ଅନୁଯାୟୀ, ଖଣ୍ଡଗିରିକୁ ଏକ ‘ସମ୍ପୂର୍ଣ୍ଣ ପର୍ଯ୍ୟଟନ ଗୌରବ’ ଭାବେ ବିକଶିତ କରାଯାଇ ଏହାକୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ପ୍ରକଳ୍ପ ଭାବେ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏହି ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟରେ ଖଣ୍ଡଗିରିର ପୂର୍ବ ପାର୍ଶ୍ୱ ଓ ପାଦଦେଶର ସୌନ୍ଦର୍ଯୀକରଣ କରାଯିବ । ପାହାଡ଼ ଉପରକୁ ଯିବା ପାଇଁ ୱାକିଂ ପାର୍କ, ମ୍ୟୁଜିକାଲ୍ ଫାଉଣ୍ଟେନ୍ ଏବଂ ଆଧୁନିକ ଆଲୋକୀକରଣ ବ୍ୟବସ୍ଥା ହେବ । ବୟସ୍କ ଏବଂ ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାମ୍ପ୍ କିମ୍ବା ଲିଫ୍ଟ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏକ ମୁକ୍ତାକାଶ ରଙ୍ଗମଞ୍ଚ (ଓପନ୍ ଏୟାର୍ ଆମ୍ଫି-ଥିଏଟର୍) ଏବଂ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହେବ । ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଦୁଇ ପାହାଡ଼ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଏକ ସ୍ଥାୟୀ ପ୍ରବେଶ ପଥ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ଏହି ପ୍ରସ୍ତାବ ବର୍ତ୍ତମାନ ସୁପାରିସ ପର୍ଯ୍ୟାୟରେ ରହିଛି । ପର୍ଯ୍ୟଟନ ବିଭାଗ ଏହି ସମସ୍ତ ପ୍ରସ୍ତାବର ଅନୁଧ୍ୟାନ କରି ଜମି ଅଧିଗ୍ରହଣ ଓ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ମେ' ମାସ ଶେଷ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ଏହି ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ ହେବ।

ଏହି ଖବରଟିକୁ ପଢନ୍ତୁ- Weather Update: ୩ ଦିନରେ ୪ ଡିଗ୍ରୀ ବଢ଼ିପାରେ ପାରଦ, ବର୍ଷା ଯୋଗୁ ୪୦ ଡିଗ୍ରୀ ତଳେ ରହିବ ତାପମାତ୍ରା, ୫ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ