ବ୍ରହ୍ମପୁର,୩୦/୧୧: ବାଛନ୍ଦ ପ୍ରଥା। କୁସଂସ୍କାର ନିଶ୍ଚୟ, କିନ୍ତୁ କିଛି ମଣିଷଙ୍କ କୁତ୍ସିତ ମାନସିକତା ମଧ୍ୟ। ପ୍ରତିଦିନ ଅନେକ ଖବରରେ ଏଭଳି ମାଳମାଳ ଉଦାହରଣ। ଏସବୁ ସାମାଜିକ କୁସଂସ୍କାରର ଏକ ଲମ୍ବା ତାଲିକା କହିଲେ ଅତ୍ୟୁକ୍ତି ହେବନି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କାମଶାସନ ଗାଁରୁ ଏଭଳି ଏକ ଖବର ପୁଣିଥରେ ଅମାନୁଷିକତା ଆଉ କୁତ୍ସିତ ମାନସିକତାର ପ୍ରମାଣ ଦେଇଛି। ଗାଁ ରେ ୬୫ ବର୍ଷୀୟା ରତ୍ନାଲୁ ରେଡ୍ଡିଙ୍କ ଦେହାନ୍ତ ହୋଇଛି। ୨୦ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ିରହିଛି ଶବ। ଦୁଇ ଝିଅଙ୍କ ଦାବି, ମୃତକଙ୍କ ଉପରୁ ସାମାଜିକ ବାଛନ୍ଦର ମୋହର ଉଠିବା ସାଙ୍ଗକୁ ତାଙ୍କ ନାଁରେ ଥିବା ଟଙ୍କାର ସମାଧାନ ନହେଲେ ଶବ ମଶାଣିକୁ ଯିବନି।

ମୃତକଙ୍କ ସ୍ବାମୀ ଏବଂ ଦୁଇପୁଅଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଛି। ଏବେ ଗାଁରେ କେବଳ ବଡ଼ ବୋହୁ ରହୁଛନ୍ତି। ମୃତକ ରତ୍ନାଲ୍ଲୁ ଗାଁରେ ବୋହୁ ପାଖରେ ନରହି ସାନ ଝିଅ ପାଖରେ ରହୁଥିଲେ। ପୂର୍ବରୁ ତାଙ୍କ ନାଁରେ ଥିବା ଗୋଟିଏ ଜମିକୁ ବିକ୍ରି କରି ଦୁଇ ଝିଅ ଓ ବିଧବା ବୋହୁ ମଧ୍ୟରେ ଟଙ୍କା ବାଣ୍ଟି ଦେଇଥିଲେ। ସେଥିରୁ ବଳକା ୪ ଲକ୍ଷ ଟଙ୍କାରେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ବୋହୁ ନାଁରେ ରହିଥିଲା ଏବଂ ତାଙ୍କ ନାଁ ରେ ଥିବା ଗୋଟିଏ ଘରକୁ ସାନ ଝିଅ ନାଁରେ ଲେଖାଇ ଦେଇଥିଲେ। କିନ୍ତୁ ବୋହୁ ତାହାକୁ ଗ୍ରହଣ କରିପାରି ନଥିଲେ ଫଳରେ ଏହି ଘଟଣା ଗାଁ ଲୋକଙ୍କ ପାଖରେ ବିଚାରାଧୀନ ଥିଲା। ଏଥିପାଇଁ ଦୁଇଝିଅ ଏବଂ ମୃତକ ମାଆଙ୍କ ସହିତ ଗାଁ ଲୋକ କେହି କଥା ହେଉନଥିବା ଏବଂ ବାଛନ୍ଦ କରାଯାଇଥିବା ନେଇ ଧରାକୋଟ ଥାନାରେ ଅନେକବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନଥିଲା।

ଏବେ ମାଆ'ଙ୍କ ମୃତ ପରେ ଝିଅ ମାନେ, ମାଆ' ଙ୍କ ଅନ୍ତିମ ସଂସ୍କାର ପାଇଁ ଥିବା ୪ ଲକ୍ଷ ଟଙ୍କା ତାଙ୍କୁ ଦିଆ ଯାଉ ଏବଂ ତାଙ୍କ ଉପରେ ଥିବା ବାଛନ୍ଦ ଉଠା ଯାଉ କହି ଶବକୁ ସତ୍କାର ପାଇଁ ଛାଡୁ ନାହାନ୍ତି । ଅନ୍ୟ ପଟେ ମୃତକଙ୍କ ବୋହୁ କହିଛନ୍ତି ଶାଶୁର ଦାୟିତ୍ବ ତାଙ୍କର, ଅନ୍ତିମସଂସ୍କାର ପାଇଁ ଥିବା ଟଙ୍କା ତାଙ୍କ ପାଖରେ ରହିଛି, ଶବ ତାଙ୍କୁ ହସ୍ତାନ୍ତର କଲେ ଶେଷକୃତ୍ୟ କରିବା ସହ ଶୁଦ୍ଧି କାର୍ଯ୍ୟ ସେ କରିବେ। ଏପରିକି ଦୁଇ ଝିଅ ଯେଉଁ ବାଛନ୍ଦ କଥା କହୁଛନ୍ତି ତାହାକୁ ଗାଁ ସଭାପତି ଖଣ୍ଡନ କରିଛନ୍ତି। ଦୁଇ ଝିଅ ଶବ ଛାଡିଲେ କୁଟୁମ୍ବ ଲୋକ ଓ ଗାଁ ଲୋକ ମିଶି ଶବ ଦାହ କରିବାରେ କୌଣସି ଆପତ୍ତି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ହେଲେ ଝିଅ ମାନେ ରାଜି ନ ହେବାରୁ ଏବେ ବି ଗାଁ ରେ ପଡ଼ି ରହିଛି ଶବ।