ନୂଆଦିଲ୍ଲୀ, ୨୮/୦୮ : ଆଶ୍ଚର୍ଯ୍ୟ ଓ ବିସ୍ମୟରେ ଭରପୁର ସମୁଦ୍ର । ଏହା ଯେତିକି ଗଭୀର, ତା ଗର୍ଭରେ ଲୁଚି ରହିଛି ସେତିକି ରହସ୍ୟ । ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଲା ପ୍ରକୃତିର ବିଚିତ୍ର ସୃଷ୍ଟି। ଦେଖିଲେ ଲାଖିଯାଉଛି ଆଖି। ସମୁଦ୍ରରେ ଚିକମିକ୍ ହୋଇ ଝଲସୁଛି ନୀଳ-ସବୁଜ ରଙ୍ଗର ଆଲୁଅ। ନାସାର PACE ସ୍ପେସ୍କ୍ରାଫ୍ଟ ଦ୍ୱାରା ସମୁଦ୍ର ଗର୍ଭରୁ ଏଭଳି ଏକ ଅସାଧାରଣ ଆବିଷ୍କାର କରାଯାଇଛି। ଅଷ୍ଟ୍ରେଲିଆର ଦକ୍ଷିଣ ସମୁଦ୍ର ତଟରୁ ରହସ୍ୟମୟ ନୀଳ-ସବୁଜ ଆଲୋକ ଚିହ୍ନଟ ହୋଇଛି। ଓସେନ କଲର ଉପକରଣ ବ୍ୟବହାର କରି ଅନ୍ତରୀକ୍ଷରୁ ଏହି ଦୀପ୍ତିମାନ ଚିତ୍ର ଉତ୍ତୋଳନ କରାଯାଇଛି। ଗ୍ରେଟ୍ ଅଷ୍ଟ୍ରେଲିଆନ୍ ‘ବାଇଟ୍’ ଓ ତସ୍ମାନ ସାଗରରେ ଏହି ଚମତ୍କାରୀ ଜିନିଷ ଦେଖିବାକୁ ମିଳିଛି । ଏହି ଚମତ୍କାର ଆଲୋକ ସାରା ବିଶ୍ଵକୁ ଆଶ୍ଚର୍ଯ୍ୟ ବିମୋହିତ କରିଛି ।
ସମୁଦ୍ରରେ ଫାଇଟୋପ୍ଲାଙ୍କଟନ୍ ନାମକ ଏକ ସୂକ୍ଷ୍ମ ଜୀବ ସମୁଦ୍ରରେ ଭାସିବା ବେଳେ ଏହି ଲାଇଟ୍ ଉତ୍ପନ ହେଉଛି। ଏହି ସୂକ୍ଷ୍ମଜୀବ ପ୍ରାୟତଃ ଖାଲି ଆଖିରେ ଦେଖି ହୁଏ ନାହିଁ। ହେଲେ ଯେତେବେଳେ ଏହା ବହୁ ସଂଖ୍ୟାରେ ଭାସନ୍ତି ଏବଂ ଉଚ୍ଚ ଘନତ୍ବ ବିଶିଷ୍ଟ ପଣିରେ ପହଞ୍ଚି ଯାଆନ୍ତି, ସେତେବେଳେ ବିଶେଷ କରି କ୍ଲୋରୋଫିଲ୍-ଏ ନାମକ ରଞ୍ଜକ ପାଣିର ତଳ ଭାଗରେ ଅବିଶ୍ବସନୀୟ ଭାବେ ଚିକମିକ୍ କରିଥାନ୍ତି । ଫାଇଟୋପ୍ଲାଙ୍କଟନ୍ ଭିତରେ ଥିବା ସବୁଜ-ନୀଳ ରଙ୍ଗର ରଶ୍ମି କ୍ଲୋରୋଫିଲ୍ ଉପରେ ସୂର୍ଯ୍ୟ କିରଣ ପଡ଼ିଲେ ଏହା ପ୍ରତିକ୍ରିୟାଶୀଳ ହୋଇ ଚମକପ୍ରଦ ଲାଇଟ୍ ଉତ୍ପନ୍ନ କରେ ।
ଫାଇଟୋପ୍ଲାଙ୍କଟନ୍ର ସାମୁଦ୍ରିକ ପରିସଂସ୍ଥାନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହା ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳାର ଆଧାର। ଛୋଟ ଛୋଟ ମାଛଙ୍କ ଠାରୁ ନେଇ ବିଶାଳ ତିମି ପର୍ଯ୍ୟନ୍ତ ଅଗଣିତ ସାମୁଦ୍ରିକ ଜୀବ ଏହାକୁ ଭୋଜନ ରୂପେ ବ୍ୟବହାର କରନ୍ତି। ଖାଲି ସେତିକି ନୁହେଁ ଜୀବଜଗତ ପାଇଁ ମଧ୍ୟ ଏହାର ଅବଦାନ ରହିଛି। ଫାଇଟୋପ୍ଲାଙ୍କଟନ୍ ପୃଥିବୀକୁ ନିଶ୍ଵାସ ନେବାରେ ସାହାଯ୍ୟ କରେ। ବୃକ୍ଷମାନେ ଛାଡ଼ୁଥିବା କାର୍ବନ ଡାଇଆକ୍ସାଇଡ୍ ଗ୍ୟାସ୍କୁ ଏହା ଟାଣିନିଏ । ଆଲୋକ ସଂଶ୍ଳେଷଣ ଜରିଆରେ ଅକ୍ସିଜେନ ଛାଡ଼େ। ଏହା ଜୀବଜଗତକୁ ୫୦ ପ୍ରତିଶତ ଅମ୍ଳଜାନ ଦିଏ। ଏହି ସୂକ୍ଷ୍ମଜୀବ ଠାରୁ ଜଳବାୟୁ ପରିବର୍ତ୍ତନ, ମହାସାଗର ପ୍ରଦୂଷଣ, ଓ ସାମୁଦ୍ରିକ ଜଗତ ଉପରେ ବିପଦ ନେଇ ପ୍ରାକୃତିକ ସଙ୍କେତ ମିଳେ। ମହାସାଗର ପ୍ରଦୂଷଣ ହେଲେ ଏହି ସୂକ୍ଷ୍ମ ଜୀବ ଅଧିକ ମାତ୍ରାରେ ଭାସିନ୍ତି । ସମୁଦ୍ରର ତାପମାତ୍ରା ବଢୁଛି ବୋଲି ଜଣା ପଡ଼ିଥାଏ ।