ମାଲକାନଗିରି, ୧୭/୧ (ରତ୍ନାକର ଦାଶ ) : ମାଲକାନଗିରି ଜିଲ୍ଲାସ୍ଥ ମୁଦୁଲି ପଡା ଓ ଅଣ୍ଡରାହଲରେ ଆଦିମ ବଣ୍ଡା ଜନଜାତି ଯୁବକ ଙ୍କ ବୀରତ୍ୱ ଓ ଭାଇଚାରା ପ୍ରଦର୍ଶନର ନିଆରା ଝାଟି ଯୁଦ୍ଧ ବା ଝାଟି ପ୍ରହାର ପର୍ବ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି।
ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଓ ଅଣ୍ଡାହାଲ ଗ୍ରାମ ପଞ୍ଚାୟତର ଏକାବନଟି ପଲ୍ଲୀରେ ଆଦିମ ବଣ୍ଡା ଜନଜାତିଙ୍କ ବସତି। ଯେଉଁ ସଂସ୍କୃତିକୁ ଅଧିକ ମହିମାମୟ କରିଛି ବଣ୍ଡା ପୁରୁଷଙ୍କ ବିରତ୍ବର କାହାଣୀ ଝାଟି ଯୁଦ୍ଧ ବା ଝାଟି ପ୍ରହାର ପର୍ବ ଏହି ପରମ୍ପରା କେଉଁ ଆବାହନ କାଳରୁ ପ୍ରଚଳିତ ହୋଇ ଆସୁଛି । ଝାଟିଯୁଦ୍ଧ-ପ୍ରତିବର୍ଷ ମାଘ ମାସ ପୂର୍ଣମୀ ତିଥିର ପରବର୍ତ୍ତୀ ସମୟରେ ହୋଇଥାଏ। ପର୍ବ ଆୟୋଜନର ପୂର୍ବରୁ ବଣ୍ଡା ପୁରୁଷମାନେ ବାହୁ ପରାକ୍ରମ ପ୍ରଦର୍ଶନ କରିଥାନ୍ତି । ସଲପ ଗଛର ପ୍ରଶାଖା ନିର୍ମିତ ଛାଟକୁ ନିଆଁ ସେକ ଓ ଗୋବର ପ୍ରଲେପ କରାଯାଇ ପୂର୍ବରୁ ଝାଟି ଚାବୁକ ପ୍ରସ୍ତୁତ କରି ରଖାଯାଇଥାଏ । ଏହି ଛାଟକୁ ସ୍ବଦେହରେ ଓ ପରସ୍ପରକୁ ପ୍ରହାର କରି ଯୁବକ ଓ ବଣ୍ଡା ପୁରୁଷମାନେ ବିରତ୍ୱ ପ୍ରଦର୍ଶନ କରିଥାନ୍ତି। ମହୁରୀ ଓ ମାଦଳର ତାଳେ ତାଳେ ଝାଟି ଯୁଦ୍ଧ ସହ ଓ ନୃତ୍ୟ କରନ୍ତି । ଢୋଲ, ଘଣ୍ଟ, ମହୁରୀ ଓ ମାଦଳର ଐକ୍ୟତାଳରୁ ସୃଷ୍ଟ ବୀରଧ୍ବନୀ ସେମାନଙ୍କ ମନରେ ଉତ୍ତେଜନା ଭରିଦିଏ । ବାଦ୍ୟ ଶୁଣିବା ମାତ୍ରେ ବଣ୍ଡାପଡ଼ାର ପ୍ରତ୍ୟେକ ଯୁବକ ଦର୍ପ ସହକାରେ ଝପଟି ଆସନ୍ତି ମୁକ୍ତ ରଣାଙ୍ଗନକୁ। ଐକ୍ୟବଦ୍ଧ ନାଚ ଭିତରେ ଜଣେ ଅନ୍ୟ ଜଣକୁ ଇସାରା ଦେଇ ଲଢ଼େଇ ପାଇଁ ଆହ୍ବାନ ଜଣାନ୍ତି । ଭୟଙ୍କର ଛାଟ ମାଡ଼ରେ ରକ୍ତାକ୍ତ ହୋଇଯାଏ ବଣ୍ଡା ଯୁବକଙ୍କର କଳା ମଚ ମଚ ମସୃଣ ଶରୀର। ଏଥିରେ ନିହିତ ଅଛି ବଣ୍ଡା ସଭ୍ୟତାର କଠୋର ଧର୍ମ ବିଶ୍ବାସ। ଦେଖୁଥିବା ଲୋକଟି ଏହି ପରମ୍ପରାରେ ବଣ୍ଡା ଜନଜୀବନର ଅନ୍ତରାଳ ପ୍ରତିଛବିଟିଏ ପାଇବ । ଝାଟିଯୁଦ୍ଧ ପରେ ପଲ୍ଲୀର ପ୍ରତ୍ୟେକ ପରିବାର ଭାତୃତ୍ବର ଅନାବିଳ ସ୍ନେହ ସୂତ୍ରରେ ଏକତ୍ର ନାଚଗୀତ ଏବଂ ରାତ୍ରିଭୋଜନ ସାରି ପରଦିନ ନିଜ ନିଜ ଘରକୁ ବାହୁଡ଼ି ଯାଆନ୍ତି । ଧର୍ମ ବିଶ୍ବାସ ଏହି ଆଦି ମୂଳ ଆଧାର ଏବଂ ସରଳତା ଏମାନଙ୍କ ଜୀବନର ସୂତ୍ର ପରି ପ୍ରତିଭାତ ହୋଇଥାଏ। ଝାଟି ଯୁଦ୍ଧ ବା ଝାଟି ପ୍ରହାର ପର୍ବ ହେଉଛି ବଣ୍ଡା ସମ୍ପ୍ର ଦାୟଙ୍କ ବିରତ୍ୱ ଓ ଭାଇଚାରା ର ପର୍ବ ।
ଝାଟି ପର୍ବ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ବିଭିନ୍ନ ଗ୍ରାମରେ ଏହାକୁ ପାଳନ କରିଥାନ୍ତି। ଗାଁର ପୁରୁଷମାନେ ସଲପ ଗଛରୁ ତିଆରି ଛାଟରେ ପରସ୍ପରକୁ ପିଟି ରକ୍ତାକ୍ତ ହୋଇଥାନ୍ତି। ମହିଳାମାନେ ସେମାନଙ୍କ ମଝିରେ ପଶି ପିଠିର କ୍ଷତ ସ୍ଥାନରେ କଞ୍ଚା ହଳଦୀ ବଟା ପ୍ରଲେପ କରିଥାନ୍ତି । ବର୍ଷ ତମାମର ରାଗ ରୁସା, ମାନ ଅଭିମାନ ଦୂର କରିବାକୁ ଏହି ପର୍ବ ପାଳନ କରାଯାଏ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଦିମ କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ପୌଷ ପରବ ମଧ୍ୟ କୁହାଯାଏ ବୋଲି କହିଛନ୍ତି ବଣ୍ଡାଘାଟିର ଲୋକେ ।ନିଆରା ଜୀବନ ଶୈଳୀରେ ବଞ୍ଚିବାକୁ ଭଲ ପାଉଥିବା ଜନଜାତିଙ୍କ ପରମ୍ପରା ଏବଂ ପର୍ବପର୍ବାଣୀ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଦର୍ଶକ ଓ ପର୍ଯ୍ୟଟକ ମାନେ ବଣ୍ଡା ଘାଟିକୁ ଆସିଥାନ୍ତି।