କଟକ,୧୮/୦୫: ସ୍ୱାମୀ ଯେତେବେଳେ କୋମାରେ ଥିବେ, କୌଣସି ନିଷ୍ପତ୍ତି ନେବାକୁ ଅକ୍ଷମ ଥିବେ ସେଭଳି ସମୟରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଭଲ ଅଭିଭାବକ ହୋଇପାରିବେ ନାହିଁ । ସ୍ୱାମୀଙ୍କ ସହ ଜୀବନର ସବୁ ସୁଖଦୁଃଖ ବାଣ୍ଟିଥିବା,ତାଙ୍କ ଦାୟିତ୍ୱ ତୁଲାଇଥିବା ପତ୍ନୀ  ଅଭିଭାବକ ଭାବେ ମାନ୍ୟତା ପାଇବା କେବଳ ଆଇନଗତ ଦୃଷ୍ଟିରୁ ନୁହେଁ, ସାମାଜିକ ଓ ନୈତିକ ଦୃଷ୍ଟିରୁ ଯଥାର୍ଥ । ତେଣୁ  ପତ୍ନୀ ସ୍ୱାମୀଙ୍କର ଆଇନଗତ ଅଭିଭାବକ ହୋଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।  

ପ୍ରସିଦ୍ଧ ସୁନା ଅଳଙ୍କାର ବ୍ୟବସାୟୀ ଇପାରୀର ମୁଖ୍ୟ ସୁରେଶ କୁମାର ଇପାରୀ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅଛନ୍ତି । ଫଳରେ ତାଙ୍କ ବ୍ୟବସାୟିକ କାର୍ଯ୍ୟ ଚାଲିପାରୁ ନାହିଁ । ଏପରିସ୍ଥଳେ ତାଙ୍କ ସ୍ୱାମୀଙ୍କ ତରଫରୁ ସମସ୍ତ କାରବାର ଚଳାଇ ରଖିବା ଲାଗି ତାଙ୍କ ପତ୍ନୀ ଇପାରୀ ସୁଷମା ଆଇନଗତ  ଅଭିଭାବକ ହେବା ଲାଗି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ.  ପାଣିଗ୍ରାହୀ ଇପାରୀ ସୁଷମାଙ୍କୁ ତାଙ୍କ ସ୍ୱାମୀଙ୍କ ଆଇନଗତ  ଅଭିଭାବକ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଇପାରୀ ସୁଷମା ତାଙ୍କ ସ୍ୱାମୀଙ୍କ ପକ୍ଷରୁ ବ୍ୟକ୍ତିଗତ, ଅର୍ଥନୈତିକ,  ଆଇନଗତ, ସ୍ୱାସ୍ଥ୍ୟଗତ, ବ୍ୟାବସାୟିକ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ  କରିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ବ୍ୟାଙ୍କ ଏବଂ ଅନ୍ୟ ସମସ୍ତ ସଂସ୍ଥା ଇପାରୀ ସୁଷମାଙ୍କୁ ସେମାନଙ୍କ  କାର୍ଯ୍ୟ ଲାଗି ସ୍ୱୀକୃତି ଦେବେ ବୋଲି ହାଇକୋର୍ଟ କହିଛନ୍ତି ।  

ସୂଚନାଯୋଗ୍ୟ ଯେ, ସୁରେଶ ଇପାରୀ ୨୦୨୪  ଫେବ୍ରୁଆରୀ ୨ରୁ କୋମାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଉନ୍ନତି ନହେବାରୁ ସେ ଏବେ କଟକସ୍ଥିତ ବାସଭବନରେ  ଚିକିତ୍ସାରେ ରହିଛନ୍ତି । ଏପରିସ୍ଥଳେ ତାଙ୍କ ଅଧୀନରେ  ରହିଥିବା ବହୁ ବ୍ୟାବସାୟିକ କାର୍ଯ୍ୟ ପରିଚାଳନାରେ ସମସ୍ୟା  ଦେଖାଦେଇଥିଲା । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ  ସୌମ୍ୟ ଶେଖର ପରିଡ଼ା ମାମଲା ପରିଚାଳନା କରୁଥିଲେ।