ବାଲିକୁଦା,୨୧/୧୧: ବାଲିକୁଦା ଅଞ୍ଚଳରେ ବସବାସ କରୁଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ନିକଟରେ ଆଧାର କାର୍ଡ ରହିଛି । ସେମାନଙ୍କୁ ଆଧାରକାର୍ଡ କିଭଳି ମିଳିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଯାଞ୍ଚ କଲେ ଏହାର ଗୁମର ଖୋଲିପାରିବ ବୋଲି ଆଲୋଚନା ହେଉଛି ।

ସ୍ଥାନୀୟ ସୂଚନା ମୁତାବକ, ଏମାନେ ବାଲିକୁଦାର ବିଭିନ୍ନ ଅଞ୍ଚଳରେ ଭଡ଼ା ଘର ନେଇ ବିଭିନ୍ନ ଚୋରି ଡକାୟତି ଠାରୁ ଆରମ୍ଭ କରି ନିଶା ଖାଇ ବଜାର ଘାଟରେ ହଙ୍ଗାମା କରୁଥିବା ମଧ୍ୟ ନଜରକୁ ଆସିଛି । ଅତୀତରେ ବାଲିକୁଦା ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଦୁଇ ଦୁଇ ଥର ଲୁଟ୍ ଉଦ୍ୟମରେ ଏମାନଙ୍କ ସମ୍ପୃକ୍ତି ଥିବା ବେଳେ ମୁଖ୍ୟ ବଜାରର ବସ୍ ଷ୍ଟାଣ୍ଡ ଠାରେ ଥିବା ଏକ ମୋବାଇଲ୍ ଦୋକାନରୁ ଏମାନେ ଚୋରି କରିଥିବା ଓ ଧରା ପଡ଼ି ଜେଲ୍ ଯିବା ଭଳି ଘଟଣା ଘଟାଇ ସାରିଛନ୍ତି । ଶ୍ରମିକ କିମ୍ବା ରାଜମିସ୍ତ୍ରୀ କାମ କରିବାକୁ ଆସି ଏଠାରେ ରହି ନିଜର ଅସଲ କାର୍ଯ୍ୟ କରି ଚାଲିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ମଧ୍ୟ ସ୍ଥାନୀୟ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ କରି ନିଜର ପତିଆରା ଜାହିର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ଏମାନେ ବ୍ୟବହାର କରୁଥିବା ଆଧାର କାର୍ଡ ଜାଲ୍ ବୋଲି ସ୍ଥାନୀୟ ଅଞ୍ଚଳ କିଛି ସଚେତନ ନାଗରିକ କହିଛନ୍ତି । ଏମାନଙ୍କୁ ଚିହ୍ନଟ କରି ସେମାନଙ୍କ ଆଧାର କାର୍ଡ ଯାଞ୍ଚ କଲେ ସବୁ ଗୁମର ଖୋଲି ପାରିବ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ଏମାନେ ଯେଉଁ ଘର ଭଡ଼ାରେ ନେଇ ରହୁଛନ୍ତି, ଘର ମାଲିକଙ୍କୁ ସେହି ଜାଲ ଆଧାରକାର୍ଡ ଚତୁରତାର ସହ ଦେଖାଇ ରହିଯାଉଥିବା ଶୁଣିବାକୁ ମଳୁଛି । କିଏ ଶ୍ରମିକ ଭାବେ ତ ଆଉ କିଏ ରାଜମିସ୍ତ୍ରୀ ଭାବେ ପହଞ୍ଚୁଥିବା ବେଳେ ଉଦ୍ଦେଶ୍ୟ କିନ୍ତୁ ଭିନ୍ନ ରହୁଥିବା ଅନୁମାନ କରାଯାଉଛି । ଏମାନଙ୍କ ଦ୍ୱାରା ଶିଶୁ ଶ୍ରମିକମାନେ ମଧ୍ୟ କାମରେ ନିୟୋଜିତ ହେଉଛନ୍ତି। ବାଲିକୁଦାର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ ଏମାନଙ୍କ ପିଲାଙ୍କୁ ପାର୍ଟ ଟାଇମ୍ କାମରେ ଲଗାଇ ଦେଉଛନ୍ତି । ବାଂଲାଦେଶୀଙ୍କୁ ନେଇ ସାରା ଜିଲ୍ଲାରେ ଧରପଗଡ଼କୁ କଡ଼ାକଡ଼ି କରାଯାଇଥିବା ବେଳେ ବାଲିକୁଦାରେ ସନ୍ଦିଗ୍ଧ ବାଂଲାଦେଶୀ ପରିବାର ବସବାସ କରୁଥିବା ସନ୍ଦେହ ବଢ଼ିଛି । କଂସାରିକୁଦରେ ୧୨ ପରିବାର ଏଠାରେ ୧୯୯୯ ମହାବାତ୍ୟା ପର ଠାରୁ ଆସି ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଲୋକଙ୍କ ଠାରୁ ଜାଗା କିଣି ନିଜ ନାମରେ ଘରବାରି ପଟା ପ୍ରସ୍ତୁତ କରି ସ୍ଥାୟୀ ଗୃହ ନିର୍ମାଣ କରି ରହି ଆସୁଥିବା କଥା ଉଠିଛି । ଏଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।