ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ ଆମ ଆଦମୀ ପାର୍ଟି (ଆପ୍‌) । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମହାବିକାଶ ଅଘାଡ଼ି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଆପ୍‌ ସାଂସଦ ସଂଜୟ ସିଂହ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ମହାରାଷ୍ଟ୍ର ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲ ଏମଭିଏ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଆମ ଆଦମୀ ପାର୍ଟି ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବ ନାହିଁ ।’ 




ମହାରାଷ୍ଟ୍ରରେ ଆପ୍‌ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ମାଲାବାର ହିଲ୍‌ ଆସନରୁ ଆପ୍‌ ପ୍ରାର୍ଥୀ ଦେବ ବୋଲି କୁହାଯାଉଥିଲା । ଆଉ ଏବେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବ ନାହିଁ ବୋଲି ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି ।  ଦିଲ୍ଲୀର ମନ୍ତ୍ରୀ ଏବଂ ଆପ୍‌ର ବରିଷ୍ଠ ନେତା ସୌରଭ ଭରଦ୍ବାଜ କହିଛନ୍ତି, ଆମ ମେଣ୍ଟରେ ଶରଦ ପାଓ୍ବାର ଏବଂ ଉଦ୍ଧବ ଠାକରେଙ୍କ ବଡ଼ ଭୂମିକା ରହିଛି । ସେମାନେ ଆମକୁ ଗୋଟିଏ ସିଟ୍‌ରେ ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଆପ୍‌ କେବଳ ନିର୍ବାଚନ ଲଢ଼ୁଥିବା ପାର୍ଟି ନୁହେଁ । ବିଜେପିକୁ ହରାଇବା ଲାଗି ଯେଉଁଠି ଆବଶ୍ୟକତା ପଡ଼ିବ ଆମେ ନିର୍ବାଚନ ଲଢ଼ିବୁ ବୋଲି ସେ କହିଛନ୍ତି । 

ଏହା ସହ ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟ ଭଲ ଭାବରେ ନିର୍ବାଚନ ଲଢ଼ିପାରିବ ଏବଂ ବିଜେପିକୁ ପରାସ୍ତ କରିପାରିବ । ତେଣୁ ଆମେ ନିର୍ବାଚନ ନଲଢ଼ି ମେଣ୍ଟ ସହଯୋଗୀଙ୍କୁ ସହାୟତା କରିବାକୁ ସ୍ଥିର କରିଛୁ ବୋଲି ସୌରଭ ଭରଦ୍ବାଜ କହିଛନ୍ତ ।