ଭୁବନେଶ୍ୱର ୨୫/୦୧: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ। ଓଲିଉଡ୍‌କୁ ସ୍ତବ୍ଧ କରି ଚାଲିଯାଇଛନ୍ତି ଦାଦା। ୫୪ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ଶେଷରେ ସମଗ୍ର ଓଡ଼ିଶାବାସୀଙ୍କୁ ଶୋକର ସାଗରେ ଭସାଇଯାଇଛନ୍ତି ଦାଦା। ତାଙ୍କ ଦେହାନ୍ତରେ କାନ୍ଦୁଛି ସଙ୍ଗୀତ ଜଗତ, କାନ୍ଦୁଛନ୍ତି ଓଡ଼ିଶା ବାସୀ, ବନ୍ଧୁ ପରିଜନ ।

୧୯୭୧ ମସିହା ୧୧ ସେପ୍ଟେମ୍ବରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ ମଜୁମଦାର ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ । ୧୯୯୧ ମସିହାରେ ସେ ସଙ୍ଗୀତ ଜଗତରେ କ୍ୟାରିଅର ଆରମ୍ଭ କରିଥିଲେ। ଦକ୍ସିଗଲା ଅଭିଜିତ୍‌ଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍। ଯେଉଁଥିରେ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଥିଲେ। ୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିରେ ସୁପରହିଟ୍ ସଙ୍ଗୀତ ସବୁ ଭେଟି ଦେଇଥିଲେ ଓଡ଼ିଆ ଦର୍ଶକଙ୍କୁ ।

ଆହୁରି ପଢ଼ନ୍ତୁ...ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ୫୪ ବର୍ଷ ବୟସରେ ପରଲୋକ

ଏଥିସହିତ ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଥିଲେ । ‘ଏ ଗୌରା…ଆଜିକାଲି କଣ ଖାଉଛୁ..’ ‘ଏ ସାଲୁ…’, ରିବନ ଫିତା…ଆଦି ହନେକ ହିଟ୍ ଆଲବମ ରହିଛି । ସେହିଭଳି କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନ୍ନା ଏ ଲଭଷ୍ଟୋରୀ, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ମାଟ୍ରିକ୍ ଫେଲ୍, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର, ଆମେ ତ ଟୋକା ଷଣ୍ଢ ମାର୍କା, ଭଉଁରୀ, ଇସ୍କ ତୁ ହି ତୁ, ସମୟ ବଡ଼ ବଳବାନ, ଲଭ୍ ଷ୍ଟେସନ୍ ବାବୁଶାନଙ୍କ ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ ଖାଁ, ଶ୍ରୀମାନ ସୁରଦାସ, ଓ ଅନୁଭବଙ୍କ କାବୁଲା ବାରବୁଲା ଭଳି ଏମିତି ଅନେକ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କୁ ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆଜି ଅଭିଜିତ୍‌ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।