ନୂଆଦିଲ୍ଲୀ, ୧୮/୨ : ପୁଣି ଫ୍ଲପ୍ ହେଲେ ଅଭିଶେକ ଶର୍ମା । ବିଶ୍ବର ନମ୍ବର ଓ୍ବାନ୍ ଟି-୨୦ ବ୍ୟାଟ୍ସମ୍ୟାନ ଏଯାବତ ବିଶ୍ବକପରେ ଖୋଲିପାରିଲେନି ଖାତା । ତିନୋଟି ମ୍ୟାଚରେ ତିନି ଜିରୋ । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଫଳ ହେବା ପରେ ଆଶାଥିଲା କି, ନେଦରଲାଣ୍ଡସ ବିପକ୍ଷ ମ୍ୟାଚରେ ବଡ଼ ପାଳି ଖେଳି ଫର୍ମକୁ ଫେରିବେ ଅଭିଶେକ ଶର୍ମା । କିନ୍ତୁ ସେମିତି କିଛି ଦେଖିବାକୁ ମିଳିନାହିଁ ।ଦୁଇଟି ମ୍ୟାଚରେ ଫ୍ଲପ୍ ହେବା ପରେ ଏହି ମ୍ୟାଚରେ କିଛି ନିଆରା ପ୍ରଦର୍ଶନ କରିବେ ବୋଲି ନିଜେ ଆଶା ରଖିଥିଲେ ଅଭିଶେକ ।
ଯାଦୁବିଦ୍ୟା ଉପରେ ବିଶ୍ବାସ ରଖିଥିବା ଅଭିଶେକ ଶର୍ମା ମହମ୍ମଦ ସିରାଜଙ୍କ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଆର୍ଯ୍ୟନ ଦତ୍ତଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଜର୍ସି ବଦଳିଲା ତଥାପି ଖେଳ ବଦଳାଇ ପାରିଲେ ନାହିଁ । ଟୁର୍ଣ୍ଣାମେଣ୍ଟରେ ଏଯାବତ ୮ଟି ବଲର ସାମ୍ନା କରିଛନ୍ତି ଅଭିଶେକ ମାତ୍ର ସେ ଖାତା ଖୋଲିପାରିନାହାନ୍ତି । ସେପଟେ ସେ ଅସୁସ୍ଥ ଥିବାବେଳେ ସଞ୍ଜୁ ସାମସନ ଖେଳିବାର ସୁଯୋଗ ପାଇଥିଲେ । ଯଦିଓ କିଛିଟା ବଡ଼ ସଟ୍ ଖେଳିଥିଲେ ତଥାପି ସେ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇନଥିଲେ । ଏବେ ଭାରତୀୟ ଦଳ ଦମଦାର ଫର୍ମରେ ରହିଛି ମାତ୍ର ଓପନିଂକୁ ନେଇ ସରୁନି ଚିନ୍ତା ।
ଅଭିଶେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ ଭାରତୀୟ ଓପନର ଭାବେ ଟି-୨୦ ବିଶ୍ବକପରେ ଲଗାତାର ତିନି ଜିରୋରେ ଆଉଟ୍ ହୋଇଛନ୍ତି । ଯଦିଓ ପୂର୍ବରୁ ଓ୍ବାଶିଂଟନ ସୁନ୍ଦର ଲଗାତାର ଲଗାତାର ତିନିଥର ଜିରୋରେ ଆଉଟ୍ ହୋଇଛନ୍ତି କିନ୍ତୁ ସେ ଓପନିଂ କରିନାହାନ୍ତି । ଅଭିଶେକ ଶର୍ମା ଟି-୨୦ରେ ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ରହିଥିବାବେଳେ ସୁପର-୮ରେ ଦମଦାର ପ୍ରଦର୍ଶନ କରି ପୁଣି ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଂଶସକ ।
ଏହାସହ ପଢ଼ନ୍ତୁ : କେବେ ହେବ ବାହାଘର ?, ଜାଣନ୍ତୁ ଇଶାନଙ୍କ ପ୍ରେମିକାଙ୍କ ସମ୍ପର୍କରେ ଅଜଣା କଥା