ନୂଆଦିଲ୍ଲୀ ୧୩/୦୮: ଲମ୍ବା ବିବାଦ ପରେ ଆସନ୍ତା ୨୯ ତାରିଖରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ଫୱାଦ ଖାନ୍‌ ଓ ବାନି କପୁରଙ୍କ ଫିଲ୍ମ ‘ଅବୀର ଗୁଲାଲ’ । କିନ୍ତୁ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ପାକ୍‌ କଳାକାରଙ୍କ ଉପରେ କଟକଣା ଯୋଗୁ ଫିଲ୍ମଟି ଭାରତରେ ରିଲିଜ୍‌ ହେବ ନାହିଁ । ରିଲିଜ୍‌ ତାରିଖ ଘୋଷଣା ହେବା ପରେ ଅଲ୍‌ ଇଣ୍ଡିଆ ସିନେ ୱର୍କର୍ସ ଆସୋସିଏସନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାକୁ ଦେଶଦ୍ରୋହ ବୋଲି ଦର୍ଶାଇ ବାନି କପୁର ଓ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ନାଗରିକତା ରଦ୍ଦ କରିବାକୁ ଦାବି କରିଛି । ବିବାଦ ଓ ବ୍ୟାନ୍‌ ଯୋଗୁ ବାନି ନିଜ ଔପଚାରିକ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ଫିଲ୍ମ ସହ ସଂଶ୍ଳିଷ୍ଟ ସମସ୍ତ ବିଷୟବସ୍ତୁକୁ ହଟାଇ ଦେଇଛନ୍ତି । ରିଲିଜ୍‌ ତାରିଖ ଘୋଷଣାରୁ ମଧ୍ୟ ଓହରିଛନ୍ତି । 

ସେହିପରି ‘ଅବୀର ଗୁଲାଲ’ ଭଳି ଦିଲଜିତ ଦୋସାଂଝଙ୍କ ଫିଲ୍ମ ‘ସର୍‌ଦାର ଜୀ-୩’ ମଧ୍ୟ ବିବାଦରେ ଥିଲା । କାରଣ ଫିଲ୍ମରେ ତାଙ୍କ ସହ ପାକ୍‌ ଅଭିନେତ୍ରୀ ହାନିୟା ଆମିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଭାରତରେ ବ୍ୟାନ୍‌ ହେବା ପରେ ନିର୍ମାତା ଫିଲ୍ମକୁ ବିଦେଶରେ ରିଲିଜ୍‌ କଲେ । ଏହା ପରେ ଫିଲ୍ମ ଫେଡେରେସନ୍‌ ଦିଲଜିତଙ୍କୁ ଭାରତରେ ବ୍ୟାନ୍‌ କରିବା ସହିତ ତାଙ୍କ ପାସ୍‌ପୋର୍ଟ ରଦ୍ଦ ପାଇଁ ଦାବି କରିଥିଲା । ଅନେକ ବିରୋଧ ସତ୍ତେ୍ୱ ଫିଲ୍ମ ଗତ ଜୁନ୍‌ ୨୭ରେ ମୁକ୍ତିଲାଭ କଲା ଏବଂ ବ୍ଲକ୍‌ବଷ୍ଟର ହେଲା । ମାତ୍ର ୧୫ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ୧୫୦ କୋଟିରୁ ଅଧିକ ବ୍ୟବସାୟ କଲା । ଏଥିସହିତ ବିଦେଶରେ ସର୍ବାଧିକ ଆୟ କରିଥିବା ପଞ୍ଜାବୀ ଫିଲ୍ମ ହେଇଛି ‘ସର୍‌ଦାର ଜୀ-୩’ ।