ବାସୁଦେବପୁର,୧୭/୧୦: ରାସ୍ତା କଡ଼ରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ କୋଇଲା ବୋଝେଇ ଟ୍ରକ୍‌ର ଡ୍ରାଇଭର । ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ରାସ୍ତାର ବିଷ୍ଣୁବିନ୍ଧା ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ,ଗୁରୁବାର ମଧ୍ୟରାତିରେ ବାସୁଦେବପୁର ବେତଡା ରାସ୍ତାର ବିଷ୍ଣୁବିନ୍ଧା ଛକ ନିକଟରେ ରାସ୍ତାର କଡ଼ରେ ଏକ ଡମ୍ପର ଛିଡା ହୋଇଥିଲା । ଡମ୍ପରକୁ ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଡମ୍ପରଟିକୁ କୋଇଲା ବୋଝେଇ ଟ୍ରକ୍‌ଟି ପ୍ରାୟ ୩୦ ମିଟର ଘୋଷାଡ଼ି ରାସ୍ତା ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲା । ସୌଭାଗ୍ୟବଶତଃ ଡମ୍ପର ଚାଳକ ଗାଡ଼ିରେ ନଥିବା ବେଳେ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏସମ୍ପର୍କରେ ଖବରପାଇ ବାସୁଦେବପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ କୋଇଲା ବୋଝେଇ ଟ୍ରକ୍‌ର ଚାଳକ ଓ ହେଲପର ଗାଡି ଛାଡି ଚମ୍ପଟ ମାରିଥିଲେ।